କୁଲଡିହା ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଉଦ୍ୟମ ଅଭିଯୋଗ, ୬ ଗିରଫ
ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ମଧ୍ୟରେ ବନ୍ୟଜନ୍ତୁ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିବା ଫଟୋ ଆଧାରରେ ବନ ବିଭାଗ ଶିକାରୀମାନଙ୍କୁ ଚିହ୍ନଟ କରିଥିଲା। ସୂଚନା ଯେ, ଚଢ଼ଉ ସମୟରେ ୮ଟି ଦେଶୀ ବନ୍ଧୁକ, ୧୬ଟି ସୀସା ଗୁଳି, ଲୁହା ରଡ୍ ଖଣ୍ଡ, ୨୦ ଗ୍ରାମ କଳା ବାରୁଦ, ୩ଟି ଧନୁ ଓ ୫ଟି ତୀର ଜବତ କରାଯାଇଥିଲା। ଉକ୍ତ ଘଟଣାରେ ମଦନ ସିଂ (୪୬), ଗୁରୁବା ସିଂ (୨୩), ଘନ ସିଂ (୨୮), ସନିଆ ସିଂ (୩୨), ଦେବେନ୍ଦ୍ର ସିଂ (୨୬) ଓ ମଙ୍ଗୁଳୁ ସିଂ (୩୧)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଘର ନୀଳଗିରି ଥାନା ଅଧୀନ ସିଆଡ଼ିମାଳ, ବାବନ୍ଧ, ଡେଉଁଚଖାଲ, କଦମଶୂଳ ଗାଁର ବୋଲି ଜଣାପଡିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଶିକାରୀଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ବାଲେଶ୍ୱର ଏସିଏଫ୍ଓ ମାଣିକେଶ୍ବରୀ ହେମ୍ବ୍ରମ କହିଛନ୍ତି।
Powered by Froala Editor