ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୭ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଜିଏସଟି ହାର ବ୍ୟବସ୍ଥାକୁ ଉଚିତ ଦର୍ଶାଯାଇଥିବା ବେଳେ ବ୍ୟବସାୟୀଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଛି। ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ ବିଚାର କରାଯିବ ବୋଲି କୁହାଯାଇଛି। କଳ୍ପନାଜଳ୍ପନାକୁ ପ୍ରତିହତ କରି ବ୍ୟବସାୟରେ ସ୍ଥିରତା ଆଣିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ବିଭିନ୍ନ ନିୟମରେ ଥିବା ଜଟିଳତାକୁ ସରଳ କରିବା ପାଇଁ ଅନେକ ସଂସ୍କାର ଅଣାଯାଇଛି। ୧୬ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ବର୍ଷକୁ ଥରେ ଲେଖାଏଁ ଜିଏସଟି ରିଟର୍ଣ୍ଣ ଦାଖଲ କରିବାକୁ ପରିଷଦ ଅନୁମତି ଦେଇଛି। ଏହା ଅଧୀନରେ ଖୁଚୁରା ଦୋକାନୀ, ସେଲୁନ ଓ ଉଠା ଦୋକାନୀ ପ୍ରତ୍ୟେକ ତ୍ରୈମାସିକରେ ଜିଏସଟି ପ୍ରଦାନ କରିବେ, ମାତ୍ର ବର୍ଷକେ ଥରେ ଜିଏସଟି ରିଟର୍ଣ୍ଣ ଦାଖଲ କରିପାରିବେ।
ରିଫଣ୍ଡ (ଟଙ୍କା ଫେରସ୍ତ) ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଦ୍ରୁତ କରିବା ସହିତ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି)ରେ ଆଶ୍ବସ୍ତି ଦିଆଯାଇଛି। ବ୍ୟବସାୟୀଙ୍କ ପାଇଁ ମାମଲାର ବୋଝ ହ୍ରାସ କରାଯାଇଛି। ୫ କୋଟି ଟଙ୍କାରୁ କମ ଟିକସ ଚୋରି କିମ୍ବା ଜାଲିଆତି କରୁଥିବା ଲୋକଙ୍କୁ ଏବେ ଆଉ ଟିକସ ଅଧିକାରୀ ସିଧାସଳଖ ଗିରଫ କରିପାରିବେ ନାହିଁ। ଏହି କ୍ଷମତା ଅଧିକାରୀଙ୍କଠାରୁ ପ୍ରତ୍ୟାହାର କରିନିଆଯାଇଛି। ଏହା ସହିତ ମାମଲାର ସର୍ବନିମ୍ନ ଦଣ୍ଡ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି। ଜୋରିମାନା କିମ୍ବା ଜେଲ ଦଣ୍ଡ କିମ୍ବା ଉଭୟ ଧାର୍ଯ୍ୟ କରିବାର ଅଧିକାର କୋର୍ଟଙ୍କୁ ଦିଆଯାଇଛି। ଏହା ଦ୍ବାରା ଟିକସ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଓ ଇନ୍ସପେକ୍ଟର ରାଜ ଉପରେ ଅଙ୍କୁଶ ଲାଗିବ।
ଜିଏସଟି ପରିିଷଦ ବୈଠକରେ ଆପରାଧିକ ମାମଲାର ସୀମାକୁ କୋଟିଏରୁ ବଢ଼ାଇ ୫ କୋଟି କରିଦିଆଯାଇଛି। ଅର୍ଥାତ ୫ କୋଟି ଟଙ୍କାର ଜାଲିଆତି ଧରାପଡ଼ିଲେ କେବଳ ଜୋରିମାନା ଲଗାଇ ମାମଲାର ସମାଧାନ କରି ଦିଆଯିବ। ଏହା ବ୍ୟତୀତ ୧୦ ହଜାର ଟଙ୍କାରୁ କମ୍ ଟିକସ ଚୋରିରେ ବ୍ୟବସାୟୀଙ୍କୁ କୌଣସି ନୋଟିସ ଦିଆଯିବ ନାହିଁ। ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପରିଷଦ ନିୟମ ସରଳ କରିଦେଇଛି। ଆଇଟିସି ଦାବିକୁ ନେଇ ସଚ୍ଚୋଟତାର ସହ ବ୍ୟବସାୟ କରୁଥିବା କ୍ରେତାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଅଧିକାରୀମାନଙ୍କର ଏକ କମିଟି ଗଠନ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ଯଦି କୌଣସି କ୍ରେତାଙ୍କ ପାଖରେ ସଠିକ୍ ବିଲ୍ ଅଛି, ସେ ସାମଗ୍ରୀ ପ୍ରାପ୍ତ କରିସାରିଛନ୍ତି ଓ ଯୋଗାଣକାରୀଙ୍କୁ ସମ୍ପୂର୍ଣ୍ଣ ଦେୟ ମଧ୍ୟ ପୈଠ କରିସାରିଛନ୍ତି, ତେବେ ଠକେଇ କରୁଥିବା ଯୋଗାଣକାରୀଙ୍କ ପାଇଁ ସେ ଯେମିତି ସମସ୍ୟାରେ ନ ପଡ଼ିବେ ତାହା କମିଟିି ଅନୁଧ୍ୟାନ କରିବ। ଏହି କମିଟି ୩ ମାସ ମଧ୍ୟରେ ନିଜର ରିପୋର୍ଟ ଦେବ। ପରବର୍ତ୍ତୀ ବୈଠକରେ ଏହା ଉପସ୍ଥାପନ କରାଯିବ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁୁ କୁହାଯାଇଛି ଯେ ଯେଉଁ ମାମଲା ଗୁଡ଼ିକରେ କୌଣସି ବିଶେଷ ଜୋରିମାନା ସ୍ଥିର କରାଯାଇ ନଥିଲା, ସେଥିରେ ଲାଗୁ ହେଉଥିବା ଜୋରିମାନାକୁ ୨୫,୦୦୦ ଟଙ୍କାରୁ ହ୍ରାସ କରି ୧୦,୦୦୦ ଟଙ୍କା କରିଦିଆଯାଇଛି। ଜିଏସଟି ପଞ୍ଜୀକରଣକୁ ନେଇ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପଞ୍ଜୀକରଣ ଓ ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱୟଂଚାଳିତ କରିବାକୁ ପ୍ରସ୍ତାବ ଦେଇଛି। ଏହା ମାଧ୍ୟମରେ କମ ବିପଦ ଥିବା ଆବେଦନଗୁଡ଼ିକ ତିନିଟି କାର୍ଯ୍ୟ ଦିବସରେ ସ୍ୱୟଂଚାଳିତ ଅନୁମୋଦନ ପାଇବ। ପ୍ରକ୍ରିୟାଗତ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଥିବା ପଞ୍ଜୀକରଣକୁ ସ୍ୱୟଂଚାଳିତ ଭାବେ ପୁନଃସ୍ଥାପିତ କରାଯାଇପାରିବ। ବ୍ୟବସାୟ ବନ୍ଦ ହେବା ପରେ ପଞ୍ଜୀକରଣ ରଦ୍ଦ କରିବାର ପ୍ରକ୍ରିୟାକୁ ମଧ୍ୟ ସରଳ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ବ୍ୟବସାୟୀଙ୍କ କାରବାରକୁ ସହଜ କରିବା ପାଇଁ ଯୋଗ୍ୟ ଜିଏସଟି ରିଫଣ୍ଡ୍ ଦାବିର ୯୦% ସ୍ୱୟଂଚାଳିତ ଭାବେ ମଞ୍ଜୁର କରାଯିବ। ଏହା ସହ ରିଫଣ୍ଡ୍ ପ୍ରାପ୍ତି ସ୍ୱୀକୃତି ଅବଧିକୁ ୧୫ ଦିନରୁ କମାଇ ୧୦ ଦିନ କରାଯାଇଛି। ଯୋଗ୍ୟ ମାମଲାରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ପ୍ରଦତ୍ତ ଜିଏସଟିକୁ ସାମିଲ କରିବା ପାଇଁ ଆଇଟିସି ରିଆତିର ପରିସରକୁ ବଢ଼ାଯାଇଛି।
Powered by Froala Editor