ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
ଉତ୍ତରପ୍ରଦେଶର ବାରାବଙ୍କିରେ ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରସୌଲୀ ରେଲୱେ ଷ୍ଟେଶନରେ ଅଯୋଧ୍ୟା-ଲକ୍ଷ୍ନୌ ଟ୍ରେନରେ ଚେକିଂ ସମୟରେ ଏହି ଘଟଣା ଘଟିଛି।
ରସୌଲୀ ଷ୍ଟେଶନରେ ରେଲୱେ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଚେକିଂ ଅଭିଯାନରେ ମୋଟ ୩୭୧ ଜଣ ବିନା ଟିକେଟ୍ ଯାତ୍ରୀ ଧରାପଡ଼ିଥିବା ଜଣାପଡ଼ିଛି । ପରେ ସମସ୍ତଙ୍କୁ ଲକ୍ଷ୍ନୌ ନିଆଯାଇଥିଲା। ଟ୍ରେନରେ ହଠାତ୍ ଚେକିଂ ଆରମ୍ଭ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଓ ଦୌଡ଼ାଦୌଡ଼ି ଦେଖାଦେଇଥିଲା। ଭାଇରାଲ୍ ଭିଡିଓରେ କିଛି ଯାତ୍ରୀ ପ୍ଲାଟଫର୍ମ ଆଡ଼କୁ ଡେଇଁଥିବା ବେଳେ ଆଉ କିଛି ଯାତ୍ରୀ ରେଳ ଧାରଣା ଆଡ଼କୁ ଚଳନ୍ତା ଟ୍ରେନରୁ ଡେଇଁଥିବା ଦେଖାଯାଇଛି। ଏହି ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
ଚେକିଂରୁ ବଞ୍ଚିବା ପାଇଁ କିଛି ଯାତ୍ରୀ ଟ୍ରେନର ଟଏଲେଟ୍ ଭିତରେ ଲୁଚିଥିବା ବେଳେ ଅନ୍ୟ କିଛି ଯାତ୍ରୀ ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନରୁ ଡେଇଁଥିବା ଭିଡିଓରେ ଦେଖାଯାଉଛି । କେତେକ ଯାତ୍ରୀ ଡେଇଁବା ସମୟରେ ତଳେ ପଡ଼ିଯାଇଥିବା ମଧ୍ୟ ଦେଖାଯାଇଛି।
Powered by Froala Editor