ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍
ୱାଶିଂଟନ : ଭାରତକୁ ବନ୍ଧୁ ରାଷ୍ଟ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତମ ବନ୍ଧୁ କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ନିଶାଣ କରୁଛନ୍ତି। ପାରସ୍ପରିକ ଶୁଳ୍କ ହେଉ କି ପ୍ରବାସୀ ମାମଲା ସବୁଥିରେ ଟ୍ରମ୍ପ ଭାରତ ଉପରେ ଦାଉ ସାଧୁଛନ୍ତି। ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଅପହରଣ, ଇରାନ ଯୁଦ୍ଧ, ଦରଦାମ ବୃଦ୍ଧି, ଜନ୍ମଜାତ ନାଗରିକତା ଆଇନ ଆଦିକୁ ନେଇ ଦେଶରେ ସମାଲୋଚନାର ଶିକାର ହେଉଥିବା ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଲୋକେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରି ସମୟରେ ଆମେରିକାରେ ଅନ୍ତରୀଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ଟ୍ରମ୍ପଙ୍କୁ ପରାଜୟର ଭୟ ଘାରିଛି। ତେଣୁ ଭୋଟର ତାଲିକା ଯାଞ୍ଚ କରି ସେ ଭୋଟରଙ୍କୁ ହଟାଇବାରେ ଲାଗିଛନ୍ତି। ଏହି କ୍ରମରେ ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟି ଦିଆଯାଇଛି। ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ସରକାରରେ ଥିବା ୨୬ ରାଜ୍ୟରେ ଏହି ଭୋଟରଙ୍କ ନାମ କଟାଯାଇଛି। ଏହା ଟ୍ରମ୍ପଙ୍କ ଭୟକୁ ଦର୍ଶାଉଛି।
ସୂଚନା ଅନୁଯାୟୀ, ଆମେରିକାରେ ପ୍ରାୟ ୨୧ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟର ଅଛନ୍ତି। ନଭେମ୍ବର ୩ରେ ଅନ୍ତରୀଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ଟ୍ରମ୍ପଙ୍କ ଦଳ ପରାଜିତ ହେବା ନେଇ ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଏକ କାରଣ ହେଉଛି, ଭାରତୀୟ ବଂଶୋଦ୍ଭବ ସର୍ବଦା ଟ୍ରମ୍ପଙ୍କ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରିଆସୁଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୬୫% ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଳା ହାରିସଙ୍କୁ ଭୋଟ୍ ଦେଇଥିଲେ।
ଏବେ ଆମେରିକାରେ ଟ୍ରମ୍ପ ପ୍ରଶାସନ ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଭୋଟର ତାଲିକାର ଯାଞ୍ଚ କରୁଛି। ଏହା ଠିକ ଭାରତରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଭଳି। ଟ୍ରମ୍ପ ପ୍ରଶାସନ କହିଛି ଯେ ଏହା ଦ୍ବାରା ନିର୍ବାଚନରେ ଜାଲିଆତି ବନ୍ଦ ହେବ ଓ ମତଦାନ ପ୍ରକ୍ରିୟା ଅଧିକ ସୁରକ୍ଷିତ କରିବାରେ ସହାୟତା ମିଳିବ। ଏଥିପାଇଁ ଟ୍ରମ୍ପ ‘ସେଭ୍ ଆମେରିକା ଆକ୍ଟ’କୁ ସମର୍ଥନ କରୁଛନ୍ତି। ଫେବୃଆରୀରେ ଆମେରିକୀୟ ସଂସଦର ନିମ୍ନ ସଦନରେ ଏହି ବିିଲ୍ ଗୃହୀତ ହୋଇଥିଲା। ଏହା ଅଧୀନରେ ଭୋଟର ଭାବେ ପଞ୍ଜୀକରଣ କରୁଥିବା ବ୍ୟକ୍ତିମାନଙ୍କୁ ଆମେରିକୀୟ ନାଗରିକତା ପ୍ରମାଣ କରିବାକୁ ଜନ୍ମ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ଦସ୍ତାବିଜ ଦେବାକୁ ପଡ଼ିବ।
Powered by Froala Editor