ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ
ଭାରତରେ ଗୁରୁତର ଅପରାଧ ମାମଲାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ଏବଂ ଦୋଷୀଙ୍କୁ ଆଗୁଆ ମୁକ୍ତି ଦେବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଅକ୍ଟୋବର ୮, ୨୦୨୬ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯିବା ମାମଲାରେ ଚିନ୍ତା ପ୍ରକାଶ କରିଥିଲେ। ଅଦାଲତଙ୍କ ଅତ୍ୟଧିକ କୋହଳ ମନୋଭାବ ଅପରାଧ ବୃଦ୍ଧିର କାରଣ ହୋଇପାରେ ବୋଲି ସେ ମତ ଦେଇଥିଲେ। ଗୁରୁତର ଅପରାଧୀଙ୍କ ପ୍ରତି ବାରମ୍ବାର ଦୟା ପ୍ରଦର୍ଶନ କରିବାର ମଧ୍ୟ ଏକ ସୀମା ରହିବା ଆବଶ୍ୟକ ବୋଲି ବିଚାରପତି ମତ ଦେଇଛନ୍ତି।
ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ଶୀଲ ନାଗୁଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି କରୁଥିଲେ। ଏହି ଶୁଣାଣି ସମୟରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାରେ ନ୍ୟାୟପାଳିକାର ଆଭିମୁଖ୍ୟକୁ ନେଇ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଥିଲେ।
ଏହି ମାମଲା ହରିୟାଣାର ସଞ୍ଜୀବ କୁମାର ନାମକ ଜଣେ ହତ୍ୟା ଦୋଷୀଙ୍କ ସହ ଜଡ଼ିତ। ୨୦୦୧ ମସିହାରେ ହିସାର ଜିଲ୍ଲାରେ ଜଣେ ପୂର୍ବତନ ବିଧାୟକଙ୍କ ପରିବାରର ୮ ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ସଞ୍ଜୀବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୦୪ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ପରେ ଏହି ଦଣ୍ଡକୁ ନେଇ ବିଭିନ୍ନ ଅଦାଲତରେ ଶୁଣାଣି ହୋଇଥିଲା।
ଘଟଣାକ୍ରମ ଅନୁସାରେ, ୨୦୦୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ। ୨୦୦୭ରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ପୁନଃ ବଳବତ୍ତର କରିଥିଲେ। ପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ ଖାରଜ ହେବା ପରେ ସଞ୍ଜୀବ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୟା ଆବେଦନର ନିଷ୍ପତ୍ତି ନେବାରେ ଅତ୍ୟଧିକ ବିଳମ୍ବ ହୋଇଥିବା ଆଧାରରେ ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ପୁଣି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ଏବେ ସଞ୍ଜୀବ କୁମାର ହରିୟାଣା ସରକାରଙ୍କ ୨୦୦୨ ମସିହାର ଦଣ୍ଡ ରିହାତି ନୀତି ଆଧାରରେ ୨୦ ବର୍ଷ ଜେଲ୍ରେ କାଟିଥିବା ଦର୍ଶାଇ ଆଗୁଆ ମୁକ୍ତି ପାଇଁ ଆବେଦନ କରିଛନ୍ତି। ହରିୟାଣା ସରକାରଙ୍କ ପକ୍ଷରୁ ଏହି ଆବେଦନକୁ ବିରୋଧ କରାଯାଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
Powered by Froala Editor