କାର୍ତ୍ତିକ ବ୍ରତ ପାଳନ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ, ୨୫ ଶହ ହବିଷିଆଳିଙ୍କୁ ମାଗଣାରେ ରହିବା ସୁଯୋଗ
ପୁରୀ : ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହୋଇଛି ଅନଲାଇନ ପଞ୍ଜୀକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୨୫ ଶହ ପଞ୍ଜୀକୃତ ହବିଷିଆଳିଙ୍କୁ ମାଗଣାରେ ରହିବା ସୁବିଧା, ମହାପ୍ରସାଦ ଓ ଜଗନ୍ନାଥ ଦର୍ଶନ ସୁଯୋଗ ଦିଆଯିବ। ଏଥିପାଇଁ ପୁରୀ ସହରର ବୃନ୍ଦାବତୀ ନିବାସ, ପୌର କଲ୍ୟାଣମଣ୍ଡପ, ରେଳ ଷ୍ଟେସନ ନିକଟ ପର୍ଯ୍ୟଟନ କମ୍ପ୍ଲେକ୍ସରେ ବ୍ୟବସ୍ଥା କରାଯିବ।
ନୂତନ ଆବେଦନକାରୀଙ୍କୁ ଚଳିତବର୍ଷ ଅଗ୍ରାଧିକାର ଦିଆଯିବ। ବିନା ପଞ୍ଜୀକରଣ ଓ ମନୋନୀତ ହୋଇନଥିବା ହବିଷିଆଳିଙ୍କୁ ସେସବୁ ସ୍ଥାନରେ ରହିବାକୁ ସୁଯୋଗ ଦିଆଯିବ ନାହିଁ। ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଅସୁସ୍ଥ ଥିଲେ ମନୋନୀତ କରାଯିବ ନାହିଁ।
ଚଳିତ ମାସ ୨୬ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷ ହେବ। କେବଳ ଅନଲାଇନ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ। ଏହି ପଞ୍ଜୀକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ। ୭୦ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ୫୦ରୁ ୭୦ବର୍ଷ ବୟସର ବିବାହିତ ମହିଳା କେବଳ ଆବେଦନ କରିପାରିବେ। ହବିଷିଆଳି ଶିବିରଗୁଡ଼ିକରେ କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଇଦାମୋଦର ଓ ବୃନ୍ଦାବତୀ ପୂଜା, ଆକାଶ ଦୀପ ବ୍ୟବସ୍ଥା କରାଯିବ। ପ୍ରତ୍ୟହ ସ୍ୱତନ୍ତ୍ର ଗାଡ଼ିରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା କରାଯିବ।
Powered by Froala Editor