ସିଏମ୍ଓରୁ ଫାଇଲ ଚୋରି ଘଟଣା: ବୟାନରେ ପାଣ୍ଡିଆନ୍ କହିଲେ ଏହା
ଭୁବନେଶ୍ୱର: ସିଏମ୍ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ. ପାଣ୍ଡିଆନ, ମନୋଜ ମିଶ୍ର ଓ ରାଜେଶ ବର୍ମାଙ୍କ ବୟାନ ନିଆଯାଇଥିବା କ୍ରାଇମ୍ବ୍ରାଞ୍ଚ ଆଇଜି ସାର୍ଥକ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି। ଏମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ କରାଯାଇଥିଲା। ପାଣ୍ଡିଆନ୍, ମନୋଜ ଏବଂ ରାଜେଶ ପୂର୍ବ ସରକାର ସମୟରେ ସିଏମ୍ଓରେ କାର୍ଯ୍ୟରତ ଥିଲେ। ବୟାନରେ ଫାଇଲ ରିସିଭ୍ ହୋଇଥିବା ନେଇ ସେମାନେ କହିଛନ୍ତି। ଫାଇଲ ରିସିଭ ହେବା ପରେ ଏହାର ରିସିଭିଂ ରସିଦ ମଧ୍ୟ ରହିଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିବା ଆଇଜି ସୂଚନା ଦେଇଛନ୍ତି। ତେବେ ଏବେବି ଫାଇଲ ହଜିଛି ବୋଲି କୁହାଯାଇପାରେ। ଫାଇଲ ଚୋରି ହୋଇଛି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ପୂର୍ବରୁ କମିଶନ ଫାଇଲ୍ ସମ୍ପର୍କିତ ତଥ୍ୟ ସିଏମ୍ଓ ଏବଂ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟକୁ ମଗାଯାଇଥିଲା। ସେଠାରୁ ତଥ୍ୟ ମିଳିବାପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ୩ ପୂର୍ବତନ ଅଧିକାରୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ଏହି ୩ଜଣଙ୍କ ବୟାନ ଗ୍ରହଣ କରାଯିବା ପରେ ଫାଇଲ୍ କେଉଁଠି ରହିଲା ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ସେମାନଙ୍କ ନିକଟରୁ ଫାଇଲ୍ ରିସିଭ୍ ହେବା ପରେ ଆଉ କେଉଁ ବିଭାଗକୁ ଗଲା ସେନେଇ ମଧ୍ୟ ଛାନ୍ଭିନ କରାଯାଉଛି। ଏହି ଫାଇଲ୍କୁ ନେଇ ମଧ୍ୟ ଆଉ କେତେ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ସହ ଜଡ଼ିତ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ହେବା ନେଇ ଜୁନ ୧୦ରେ ଏଫ୍ଆଇଆର ହୋଇଥିଲା। ଏହାସହିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଆର୍ଡିସି ରିପୋର୍ଟ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ପ୍ରଥମେ କମିଶନରେଟ୍ ପୋଲିସ ଏହାର ତଦନ୍ତ କରୁଥିଲା। ପରେ ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀ ନାଇଡୁ କମିଶନ ରିପୋର୍ଟ ଗାଏବ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚକୁ ଦେଇଥିଲେ। ଜୁଲାଇ ୨୮ରେ କ୍ରାଇମ୍ବ୍ରାଞ୍ଚ ମାମଲାକୁ ପୁନଃ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୂର୍ବତନ ସିଏମ୍ଓର କେତେଜଣ ଅଧିକାରୀଙ୍କୁ ପଚରାଉଚରା ପାଇଁ ନୋଟିସ୍ ହୋଇଥିଲା। ପୂର୍ବତନ ଆଇଏଏସ୍ ଅଫିସର ମନୋଜ ମିଶ୍ର ପୂର୍ବରୁ କ୍ୟାପିଟାଲ ଥାନାରେ ହାଜର ହୋଇ ନିଜର ବୟାନ ଦେଇଥିଲେ। କିନ୍ତୁ ରାଜେଶ ବର୍ମା ଏବଂ ଭି.କେ. ପାଣ୍ଡିଆ ବିଭିନ୍ନ ବାହାନା କରି କ୍ୟାପିଟାଲ ଥାନାରେ ହାଜର ହୋଇ ନ ଥିଲେ। କ୍ରାଇମ୍ବ୍ରାଞ୍ଚ ମାମଲା ନେବା ପରେ ସେତେବେଳେ ସିଏମ୍ଓ ଅଫିସରେ କାର୍ଯ୍ୟ କରୁଥିବା ଭି.କେ. ପାଣ୍ଡିଆନ, ମନୋଜ ମିଶ୍ର ଏବଂ ରାଜେଶ ବର୍ମାଙ୍କୁ ନୋଟିସ୍ କରିବା ପରେ ସେମାନେ ବାଧ୍ୟ ହୋଇ ବୟାନ ଦେଇଛନ୍ତି। ଫାଇଲ୍ ରସିଭ୍ ହୋଇଥିବା ବେଳେ ଏହାର ରିସିଭିଂ କପି ମଧ୍ୟ ସେମାନେ ପାଇଥିଲେ। ହେଲେ ସେମାନେ ଫାଇଲ ରିସିଭ୍ କରିବା ପରେ ପୁଣି କୁଆଡ଼େ ଗଲା ସେମାନେ ଜାଣି ନ ଥିବା କହିଥିଲେ। କ୍ରାଇମ୍ବ୍ରାଞ୍ଚ ସେହି ସମୟରେ ସିସିଟିଭି ଏବଂ ଅନ୍ୟ ଦସ୍ତାବିଜ୍ ଆଧାରରେ ଖୋଳତାଡ଼ କରୁଛି। ସିଏମ୍ଓ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ ପିଅନଙ୍କୁ ପଚରାଉଚରା କରିବା ସହ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। କିନ୍ତୁ ତାଙ୍କ ଘରୁ କୌଣସି କାଗଜପତ୍ର ଜବତ କରାଯାଇ ପାରି ନ ଥିଲା।
Powered by Froala Editor