ଛତିଶଗଡ଼ରେ ଅବିଶ୍ରାନ୍ତ ବର୍ଷା, ହୀରାକୁଦ ଡ୍ୟାମ୍ର ୨୪ ଫାଟକ ଖୋଲାଯାଇ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର: ଗତ ୨୪ ଘଣ୍ଟା ହେଲା ଛତିଶଗଡ଼ରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ରାୟପୁର ଏବଂ ଦୁର୍ଗ ଜିଲାର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଉପରମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବାରୁ ହୀରାକୁଦ ଡ୍ୟାମ୍ ଉପରେ ଚାପ ବଢ଼ିଛି। ତେଣୁ, ଡ୍ୟାମ୍ର ୨୪ ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଛତିଶଗଡ଼ର ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ମହାନଦୀ ସମେତ ଅନ୍ୟାନ୍ୟ ପ୍ରମୁଖ ନଦୀ ଏବଂ ଜଳାଶୟଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ନଦୀକୂଳିଆ ଗାଁଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଛତିଶଗଡ଼ରୁ ବନ୍ୟାଜଳ ଆସିବାରୁ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ଏହାର ସିଧାସଳଖ ପ୍ରଭାବ ହୀରାକୁଦ ଡ୍ୟାମ ଉପରେ ପଡ଼ିଛି। ରିପୋର୍ଟ ଅନୁଯାୟୀ, ହୀରାକୁଦର ଜଳସ୍ତର ୬୨୮.୧୯ ଫୁଟ୍ ରହିଥିବା ବେଳେ ସେକେଣ୍ଡ୍ ପ୍ରତି ୩ ଲକ୍ଷ ୮୩ ହଜାର ୫୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ବିଭିନ୍ନ ମାଧ୍ୟମରେ ୩ଲକ୍ଷ ୯୫ହଜାର ୮୦୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଗତ ୨୧ ତାରିଖରେ ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍ ସହ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ଥିଲା। ତେଣୁ ଏହି ବର୍ଷା ଯୋଗୁଁ ନଦୀବନ୍ଧ ଉପରେ ଚାପ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଳ ପ୍ରବେଶର ଦୁଇଗୁଣା ବନ୍ୟାଜଳ ନିଷ୍କାସନ କରାଯାଉଛି।
Powered by Froala Editor