ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର
ପଶ୍ଚିମ ସିକ୍କିମର ରିମ୍ବିରେ ଭୂସ୍ଖଳନ ୩୦ରୁ ଅଧିକ ଘର, ରାସ୍ତାଘାଟକୁ ଛାରଖାର କରିଦେଇଛି। ଭୟଙ୍କର ଭୂସ୍ଖଳନ ଫଳରେ ପାହାଡ଼ ତଳି ଛୋଟିଆ ବସତି ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରିମ୍ବିରେ ୩୦ ସେମିରୁ ଅଧିକ ବର୍ଷା ହୋଇଛି। ଭାରି ବର୍ଷା କାରଣରୁ ପାହାଡ଼ ଧସି ଭୂସ୍ଖଳନ ହୋଇଥିଲା। ଆଗକୁ ବି ବିପଦ ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମକୁ ଚବିଶ ଘଣ୍ଟିଆ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିକ୍କିମ୍ ସିଏମ୍ । ଉଦ୍ଧାର କାର୍ଯ୍ୟକୁ ବି ଜୋରଦାର କରାଯାଇଛି। ୨୮ଟି ବିପଦପୂର୍ଣ୍ଣ ଘରୁ ୧୨୮ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଯେଉଁଥିପାଇଁ ଜିରୋ କାଜୁଆଲଟି ମିଶନ ସଫଳ ହୋଇପାରିଲା।
ବିପର୍ଯ୍ୟୟରେ ସରକାରୀ କ୍ବାଟର୍ସ ସମେତ ୩୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଭୂସ୍ଖଳନ ଯୋଗୁଁ ରିମ୍ବି ନଦୀର ଗତିପଥରେ ପରିବର୍ତ୍ତନ ଆସିଛି। ଫଳରେ ନଦୀ କୂଳିଆ ରାସ୍ତା କ୍ରମାଗତ ଭାବେ ଧସିବାରେ ଲାଗିଛି। କିଛି ବ୍ରିଜ୍ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ପ୍ରାୟ ମାସେ ତଳେ ଅଗଷ୍ଟ ୨୬ ତାରିଖ ଏମିତି ଭୟଙ୍କର ପ୍ରଳୟ ଭୋଗିଥିଲା ନେପାଳ। ଭୋଟେକୋଶୀ ନଦୀରେ ହଠାତ ମାଡ଼ିଆସିଥିଲା କାଦୁଅ ଓ ପଥର ମିଶା ପାଣି। ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି ନିଖୋଜଙ୍କ ସଂଖ୍ୟା ହିସାବ ବାହାରେ। ନେପାଳର ଅବସ୍ଥା ଦେଖିବା ଦିନଠୁ ସିକ୍କିମରେ ଛନକା ବଢିଛି।
Powered by Froala Editor