ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ନୁହେଁ, ଏହା ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ବା ଆର୍ଥିକ ସୁରକ୍ଷାର ମାଧ୍ୟମ ନୁହେଁ, ଏହା ରାଜ୍ୟ ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର। ଶନିବାର ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।ଏହି ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୩୦ଜଣ, ଓଡ଼ିଶା ରାଜସ୍ୱ ସେବା(ଓଆରଏସ)ର ୪୨ଜଣ, ଓଡ଼ିଶା ଅର୍ଥ ସେବା (ଓଏଫ୍ଏସ୍)ର ୪୬ଜଣ, ଓଡ଼ିଶା ଟିକସ ଓ ହିସାବ ସେବା (ଓଏଟିଏସ)ର ୬୦ଜଣ ଏବଂ ସମବାୟ ସେବା (ଓସିଏସ ଏବଂ ଓସିଏଏସ)ର ୧୭ଜଣ ଅଧିକାରୀ ସରକାରୀ ସେବାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଗଠନର ମାତ୍ର ୨ ବର୍ଷ ୩ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ମାଧ୍ୟମରେ ରେକର୍ଡ ୪୬,୫୭୫ଜଣ
ଯୁବକଯୁବତୀଙ୍କୁ ସରକାରୀ ସେବାରେ ନିୟୋଜିତ କରାଯାଇସାରିଛି। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଏକ ‘ପଞ୍ଚସୂତ୍ରୀ’ ମନ୍ତ୍ର ପ୍ରଦାନ କରିଛନ୍ତି। ନିଜକୁ ଶାସକ ନ ଭାବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭଳି ନିଜକୁ ଜନସେବକ ମନେ କରି ସାଧାରଣଲୋକଙ୍କ ସେବା କରିବାକୁ ହେବ। ନିଜ ପଦବୀର ମର୍ଯ୍ୟାଦା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜନଶୁଣାଣିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ କହିଛନ୍ତି। କାର୍ଯ୍ୟକ୍ରମରେ ଦେଶରେ ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଆରମ୍ଭ କରି ଯୁବବର୍ଗଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସଭିତ୍ତିକ ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’ ପୁସ୍ତିକା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନବନିଯୁକ୍ତଙ୍କୁ ନିଜନିଜ ବିଭାଗର ‘ରୋଲ୍ ମଡେଲ୍’ ଭାବେ ଭବିଷ୍ୟତର ଆଦର୍ଶ ରୂପେ ଗଢ଼ି ଉଠିବାକୁ ଆହ୍ୱାନ ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବନିଯୁକ୍ତଙ୍କୁ ସରକାରୀ ସେବାରେ ପ୍ରବେଶ ପରେ ଏହି ପରିଶ୍ରମର ମୂଲ୍ୟ ରଖି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଶ ଓ ସମାଜ ପାଇଁ ଉପଯୋଗୀ ହେବା ଭଳି କର୍ମ କରିବାକୁ ଆହ୍ୱାନ ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନବନିଯୁକ୍ତ ଡାକ୍ତର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଦକ୍ଷ ଓ ନିଷ୍ଠାପର ଅଧିକାରୀମାନଙ୍କ ଆଗମନ ଦ୍ୱାରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମୃଦ୍ଧ, କ୍ରିୟାଶୀଳ ଓ ସଶକ୍ତ ହେବ।କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିସନର୍ ତଥା ଶାସନ ସଚିବ ଅଶ୍ୱଥୀ ଏସ୍ ଧନ୍ୟବାଦ ଦେଇଥିଲେ।
Powered by Froala Editor