ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପୂର୍ବଦିନ ଆସିଯାଉଛି ସବୁ ବିଷୟର ପ୍ରଶ୍ନପତ୍ର
ଭୁବନେଶ୍ବର: ଲିକ୍ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର । ସୋସିଆଲ ମିଡ଼ିଆରେ ବୁଲୁଛି ଆଗୁଆ ପ୍ରଶ୍ନପତ୍ର । ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ପୂର୍ବଦିନ ଆସିଯାଉଛି ସବୁ ବିଷୟର ପ୍ରଶ୍ନପତ୍ର । ପ୍ରାୟ ୩୦୦ କଲେଜରେ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସେପ୍ଟେମ୍ବର ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପରୀକ୍ଷା ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ ।ସେପଟେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ସହିଦନଗର ଥାନାରେ ପରୀକ୍ଷା ନିୟନ୍ତ୍ରକ ହୃଷୀକେଶ ନାୟକ ଏତଲା ଦେଇଛନ୍ତି। ଆବଶ୍ୟକ ହେଲେ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି।ଏନେଇ ସହିଦନଗର ଥାନା ଅଧିକାରୀ ସୁଚିତ୍ର ଦାସ କହିଛନ୍ତି, ‘‘ଏତଲା ଆଧାରରେ ଆମେ ତଦନ୍ତ କରୁଛୁ’’।ଏପଟେ କିପରି ପ୍ରଶ୍ନପତ୍ର ଲିକ୍ ହେଲା ତାହାକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ । ଏନେଇ ସାଇବର ଥାନାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏତଲା ଦିଆଯିବା ସହ କୁଳପତିଙ୍କ ଅଧୀନରେ ଏହି ଘଟଣାରେ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ସେହିପରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡ଼ ହୃଷୀକେଶ ନାୟକ କହିଛନ୍ତି ।
ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ‘‘କୁଳପତିଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯିବ । ଏହାର ସତ୍ୟାସତ୍ୟ ପରୀକ୍ଷା କରାଯିବ । ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସାମ୍ନାକୁ ଆସେ ତେବେ ପୁନଃ ପରୀକ୍ଷା କରାଯିବ । କେଉଁ କେଉଁ ବିଷୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ନିୟମ ମୁତାବକ ବିଶ୍ୱବିଦ୍ୟାଳୟରୁ ପ୍ରଶ୍ନପତ୍ର ସିଲ୍ ହୋଇ କଲେଜକୁ ଯାଏ । ସେଠାରେ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରକୁ ଖୋଲାଯାଇଥାଏ । ତେବେ କୋଉଠି ରହିଲା ଭୁଲ ତାହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ ହୃଷୀକେଶ ନାୟକ ।
Powered by Froala Editor