ଆଉ ମାତ୍ର ୩ ଦିନ ରହିଲା, ଏଥର ସରଗରମ ହେବ ବିଧାନସଭା
ଭୁବନେଶ୍ୱର: ଆଉ ମାତ୍ର ୩ ଦିନରହିଲା । ଆସନ୍ତା ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ୯ଟି କାର୍ୟ୍ୟ ଦିବସଥିବା ଏହି ଅଧିବେଶନ ଅକ୍ଟୋବର ୩ରେ ସରିବ ।ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ୍ ସରଗରମ ରହିବାକୁ ଯାଉଛି । ସରକାରଙ୍କୁ ଘେରିବାକୁ ବିରୋଧୀଦଳ ରଣନୀତି ବିଛାଇ ଅପେକ୍ଷା କରିଛନ୍ତି । ପାଠ୍ୟପୁସ୍ତକରେ ମହାତ୍ରୁଟିରୁ ନେଇ ଖଣିକୁ ନେଇଆସିଥିବା ଏମଏମଡିଆର ସଂଶୋଧନ ବିଲ୍କୁ ନେଇ ବିରୋଧୀ ସରକାରଙ୍କୁ ଆକ୍ରମଣ କରିବା ଥୟ । ଅନ୍ୟପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ଅଭିଯୋଗକୁ ନିଜ ସଫଳତା କାର୍ଡରେ ମାତ୍ ଦେବାକୁ ପ୍ରସ୍ତୁତ ରହିଛି ।
ସଂସଦର ମୌସୁମୀ ଅଧିବେଶନରେ ଖଣିକୁ ନେଇ ଏମଏମଡିଆର ସଂଶୋଧନ ବିଲ୍ ପାରିତ ହୋଇଥିବା ବେଳେ ରାଜ୍ୟରେ ଏହାକୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ଦଳ । ବିଶେଷ କରି ବିଜୁ ଜନତା ଦଳ ନିୟମିତ ଭାବେ ଏ ପ୍ରସଙ୍ଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ବିଜେଡି ଲୋକଭବନ ଆଗରେ ଧାରଣା ଦେଇଛି ।
ବିଜେଡି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି, ସରକାର ସବୁ ସ୍ତରରେ ବିଫଳ ହୋଇଛନ୍ତି । ସରକାରଙ୍କ ସମସ୍ତ ବିଫଳତାକୁ ଲୋକଙ୍କ ସାମ୍ନାକୁ ଅଣାଯିବ । ବିଧାନସଭା ଅଧିବେଶନରେ ବିଜେଡି ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଏମଏମଡିଆର ଖଣି ସଂଶୋଧନ ଆଇନ କିଭଳି ରାଜ୍ୟର ସ୍ୱାର୍ଥକୁ ବଳି ଦେଇଛି, ସେ ନେଇ ସରକାରଙ୍କ ଠାରୁ ଜବାବ ମଗାଯିବ । ଏହି ଆଇନ ପ୍ରତ୍ୟାହାର ପାଇଁ ବିଜେଡି ପ୍ରତିବାଦର ସ୍ୱର ଜାରି ରଖିବ । ସେହିପରି ପାଠ୍ୟପୁସ୍ତକ ବିଭ୍ରାଟ, ଚାଷୀ ପ୍ରସଙ୍ଗ, ଆଇନ ଶୃଙ୍ଖଳା ଓ ଦର ବୃଦ୍ଧି ଭଳି ପ୍ରମୁଖ ପ୍ରସଙ୍ଗ ରହିଛି ।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ବିଧାନସଭା ଆସିଲେ କଂଗ୍ରେସ ଦଳ ବସି ରଣନୀତି ନିର୍ଦ୍ଧାରଣ କରିବ । ତେବେ ଆଗାମୀ ଅଧିବେଶନରେ ଏମଏମଡିଆର ସଂଶୋଧନ ଆଇନ ଏକ ପ୍ରମୁଖ ପ୍ରସଙ୍ଗ ହେବ । ଏହାବାଦ୍ ୟୁପିଆଇ, ଚାଷୀ ସମସ୍ୟା ଏବଂ ପାଠ୍ୟପୁସ୍ତକ ପ୍ରସଙ୍ଗ ବି ଉପସ୍ଥାପନ କରାଯିବ ।
ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ କହିଛନ୍ତି, ବିରୋଧୀ ଦଳ ସଜ ମାଛରେ ପୋକ ପକାଇପାରନ୍ତି । କିନ୍ତୁ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି ।
Powered by Froala Editor