ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗଙ୍କ ବିଭ୍ରାଟ, ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ନୂଆବର୍ଷ ଆରମ୍ଭରୁ ନୀତି ବିଭ୍ରାଟ। ପଞ୍ଚବକ୍ରଦେବ ବିଜୁକୁ ନେଇ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗଙ୍କ ମଧ୍ୟରେ ଦିଅଁ ନେବାକୁ ନେଇ ଏଭଳି ବିଭ୍ରାଟ ହୋଇଛି। ଦିଅଁ ନ ନେଲେ ସେବା କରିବୁ ନାହିଁ ବୋଲି ପୂଜାପଣ୍ଡା କହିଥିଲେ। ମନ୍ଦିର ପ୍ରଶାସନ ବିବାଦ ତୁଟାଇ ପାରି ନଥିବାରୁ ନୀତିବନ୍ଦ ରହିଛି। ସୂଚନାଯୋଗ୍ୟ, କନ୍ୟା ସଂକ୍ରାନ୍ତିରେ ଦିଅଁଙ୍କ ବଡ଼ସିଂହାର ଧୂପ ସରିବା ପରେ ପଞ୍ଚବକ୍ର ବିଜେ ନୀତି ଆରମ୍ଭ ହୁଏ। ପୂଜାପଣ୍ଡା ସେବାୟତ ଦକ୍ଷିଣ ଘରୁ ପଞ୍ଚବକ୍ରଙ୍କୁ ଧରି ପାହାଡ଼ା ଉପରେ ଚାଲିକି ଠାକୁରଙ୍କ ପର୍ଯ୍ୟନ୍ତ ଯାଇଥାନ୍ତି। ଠାକୁରଙ୍କଠାରୁ ଆଜ୍ଞା ପ୍ରସାଦ ଆଣି କଳାହାଟ ଦ୍ବାର ଡମ୍ବୁର ପର୍ଯ୍ୟନ୍ତ ଫେରି ସେଠାରେ ପଞ୍ଚବକ୍ରଙ୍କୁ ଡମ୍ବୁର ଉପରେ ବିଜେ କରାଇ ଆଳତି, ଭୋଗ, ବିଡ଼ିଆ ଲାଗି କରି ସାରିବା ପରେ ପୁଷ୍ପାଞ୍ଜଳି କରିଥା’ନ୍ତି। କିନ୍ତୁ, ବ୍ରାହ୍ମଣ ନିଯୋଗର ପତ୍ରୀ ସେବାୟତ ପଞ୍ଚବକ୍ରଦେବଙ୍କୁ ଧରି ଯିବାକୁ କହିଥିଲେ। ଦକ୍ଷିଣଘର ଦିଅଁଙ୍କ ବିଜେ ରେକର୍ଡ ଅଫ ରାଇଟ୍ସ ବ୍ରାହ୍ମଣ ନିଯୋଗର ବୋଲି ଦର୍ଶାଇ ଦିଅଁଙ୍କୁ ନେବାକୁ କହିଥିଲେ। ଯେପର୍ଯ୍ୟନ୍ତ ଏହାର ସମାଧାନ ହୋଇନି ଦିଅଁଙ୍କ ନୀତିରେ ସହଯୋଗ କରିବୁ ନାହିଁ ବୋଲି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି।
Powered by Froala Editor