ମୋଦିଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 76 ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସେ ନିଜ X ହ୍ୟାଣ୍ଡେଲ୍ରେ ଉଲ୍ଲେଖ କରିଛନ୍ତି, "ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ତାଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି। ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ ।"
ବିଜେପି ନେତୃତ୍ବାଧିନ NDA, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ନେତୃତ୍ୱ, ଜନସେବା ପ୍ରତି ପ୍ରତିବଦ୍ଧତା ଏବଂ ଦେଶର ବିକାଶରେ ତାଙ୍କ ଅବଦାନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକୃତି ନିର୍ମାଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଳନ ପାଇଁ 'ସେବା ମେରା ଯୋଗଦାନ' ଅଭିଯାନ ଅଧିନରେ ବିଜେପି ପକ୍ଷରୁ 25 ପ୍ରକାରର ସେବାକାର୍ଯ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ମଧ୍ୟରେ ବୃକ୍ଷରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ ଆଦି ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1950 ମସିହା ସେପ୍ଟେମ୍ବର 17 ତାରିଖରେ ଗୁଜରାଟର ଭଡନା ନଗରରେ ଜନ୍ମଗ୍ରହଣ କରିଥିଲେ ।
Powered by Froala Editor