ଆଜି ‘ସୁଭଦ୍ରା’ ଯୋଜନାକୁ ପୂରିଲା ଦୁଇବର୍ଷ, ଘରେ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାରେ ନୂଆ ହିତାଧିକାରୀ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପୁଣି ୨୦୨୭ ଏପ୍ରିଲରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷରେ ଉପନୀତ ଯୁବତୀ ଏଥିରେ ପଞ୍ଜୀକରଣ କରିପାରିବେ। ଏପ୍ରିଲ୍ ପହିଲାରୁ ୩୦ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗଦେଇ ‘ସୁଭଦ୍ରା’ ଯୋଜନାର ଦୁଇବର୍ଷ ପୂରଣ ଅବସରରେ ଗୁରୁବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଗତ ଦୁଇବର୍ଷ ମଧ୍ୟରେ ୫ଟି କିସ୍ତି ଜରିଆରେ ୧ କୋଟି ୩ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡିବିଟି) ୨୫,୮୦୦ କୋଟି ଟଙ୍କା ସହାୟତା ହସ୍ତାନ୍ତର କରାଯାଇଛି। ଆଇଆଇଏମ୍ ସମ୍ବଲପୁର, ଏସ୍ବିଆଇ ଏବଂ ନୀତି ଆୟୋଗର ଆକଳନ ଅନୁଯାୟୀ, ଏହି ଯୋଜନା ଫଳରେ ରାଜ୍ୟର ୨୬%ରୁ ଊର୍ଦ୍ଧ୍ୱ ମହିଳା ନିଜସ୍ୱ ଉଦ୍ୟୋଗୀ ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୨୦୨୪ ଜୁନ୍ ୧୨ରେ ଗଠନ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଯୋଜନାର ଶୁଭାରମ୍ଭ କରି ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଛାଡ଼ିଥିଲେ।
Powered by Froala Editor