ଜଟଣୀରେ ହେବ ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍
ଓଡ଼ିଶାରେ ଦ୍ୱିତୀୟ ବୃହତ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପ୍ରସ୍ତାବକୁ ଫାଲ୍ଟା ଏସ୍ଇଜେଡ୍ର ୟୁନିଟ୍ ଅନୁମୋଦନ କମିଟିର ମଞ୍ଜୁରି ମିଳିଛି । ଜଟଣୀ ତହସିଲର ଇଡ୍କୋ ଇନଫୋଭ୍ୟାଲିଠାରେ ୨୨.୮୮ ଏକର ପରିମିତ ଜମିରେ ଏହି ଉତ୍ପାଦନ ୟୁନିଟ୍ ସ୍ଥାପନ ହେବ । ଏଥିରେ ୩,୪୦୬ କୋଟି ଟଙ୍କା ନିବେଶ ହେବ ।
କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧିନ ଏସ୍ଇଜେଡ୍ ନିୟମାବଳୀ ଅନୁସାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ୟୁନିଟ ଜଟିଳ ଇଲେକଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ବଢ଼ାଇବ । ଏହାଦ୍ୱାରା ରାଜ୍ୟର ରପ୍ତାନି ଭିତ୍ତିକ ଶିଳ୍ପ ବିକାଶ ତ୍ୱରାନ୍ୱିତ ହେବା ଆଶା ରହିଛି । ଏହି ଅତ୍ୟାଧୁନିକ ୟୁନିଟରେ ସିଲିକନ କାର୍ବାଇଡ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରଯୁକ୍ତି ବ୍ୟବହାର କରାଯିବ । ଏଠାରେ ବାର୍ଷିକ ୪୮ ଲକ୍ଷ ସିକ୍ ଡାୟୋଡ୍ ଏବଂ ୯.୧୨ କୋଟି ସିକ୍ ମସ୍ଫେଟ୍ ଉତ୍ପାଦନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନୂଆ ୟୁନିଟ କାର୍ଯ୍ୟକ୍ଷମ ହେଲେ ଏହା ଓଡ଼ିଶାକୁ ସେମିକଣ୍ଡକ୍ଟର ମାନଚିତ୍ରରେ ପ୍ରତିଷ୍ଠିତ କରିବ। ଏହା ସହ ବୃହତ ନିବେଶ ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏହି ପ୍ରକଳ୍ପ ୧୨୭୦ କୁଶଳୀ ନିଯୁକ୍ତି ସୃଷ୍ଟି କରିବ । ଏହାବାଦ ସ୍ଥାନୀୟ ଶିଳ୍ପ ଏବଂ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ପରୋକ୍ଷ ନିଯୁକ୍ତି ଆସିବା ସମ୍ଭାବନା ରହିଛି ।
ୟୁନିଟ କାର୍ଯ୍ୟକ୍ଷମ ହେବାର ପ୍ରଥମ ୫ବର୍ଷରେ ଏଠାରୁ ୭୦୪୩ କୋଟିର ରପ୍ତାନି ହେବା ନେଇ ଆକଳନ କରାଯାଇଛି । ଏହି ସମୟ ଅବଧିରେ କମ୍ପାନି ପ୍ରାୟ ୪୫୨୩ କୋଟିର ନିଟ୍ ବୈଦେଶିକ ମୁଦ୍ରା ଅର୍ଜନ କରିବ । ଭାରତ ସେମିକଣ୍ଡକ୍ଟର ମିଶନ ଅଧିନରେ ଏହି ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।
Powered by Froala Editor