ଖୁବ୍ଶୀଘ୍ର ଓଡ଼ିଶାରୁ ଫେରିଯିବ ମୌସୁମୀ
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସ୍ଥଳ ଭାଗ ଛୁଇଁଛି । ଏହାର ପ୍ରଭାବ ଓଡ଼ିଶା ଉପରେ କମ୍ ରହିଥିବାବେଳେ ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସୋମବାର ରାଜ୍ୟରେ ପୁଣି ପାରଦ ଉପରମୁହାଁ ହୋଇଛି। ସେହିପରି ଖୁବ୍ଶୀଘ୍ର ଓଡ଼ିଶାରୁ ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଦେଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପ୍ରକ୍ରିୟା ସେପ୍ଟେମ୍ବର ୧୯ ବେଳକୁ ଆରମ୍ଭ ହେବା ନେଇ ପାଗ ଅନୁକୂଳ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଫେରିବା ଆରମ୍ଭ କରିବ। ତେବେ ଉତ୍ତର-ପଶ୍ଚିମ ଭାରତରୁ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲେ ମଧ୍ୟ ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ନିୟାମକ ଯୋଗୁ ଓଡ଼ିଶା ସମେତ ପୂର୍ବ ଭାରତରେ ଏବେ ବି ବର୍ଷା ଜାରି ରହିଛି। ସାଧାରଣତଃ ଓଡ଼ିଶାରୁ ମୌସୁମୀ ବାୟୁ ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥାଏ। ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରୁ ମୌସୁମୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଓଡ଼ିଶାରୁ କେବେ ମୌସୁମୀ ଫେରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।
ସୋମବାର ରାଜ୍ୟରେ ତାପମାତ୍ରା ପୁଣି ଉପରମୁହାଁ ହୋଇଛି। ଦାରିଙ୍ଗବାଡ଼ି ଏବଂ କେନ୍ଦ୍ରାପଡ଼ାକୁ ବାଦ୍ ଦେଲେ ଅନ୍ୟ ସହରଗୁଡ଼ିକର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ତେବେ ମଙ୍ଗଳବାର ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
Powered by Froala Editor