୩୫୨ଟି ବଜ୍ରକାପ୍ତା କାତି ଜବତ କଲା ବନ ବିଭାଗ, ୬ ଗିରଫ
ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ଚୋରାଚାଲାଣ ହେଉଥିବା ବେଳେ ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ । ଓଜନ ପ୍ରାୟ ୨ କିଲୋଗ୍ରାମ ବୋଲି ଜଣାପଡ଼ିଛି । ଘଟଣାରେ ୬ ଜଣ ଚାଲାଣକାରୀଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ଟି ବାଇକ୍ ଓ ୫ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି ।
ବିଶେଷ ସୂତ୍ରରୁ ଖବର ପାଇ ଡେମ୍ ସାଇଡ୍ ଛକ ନିକଟରେ ବନ ବିଭାଗର ଏକ ଟିମ୍ ଜଗି ରହିଥିଲା। ଏହି ସମୟରେ ୩ଟି ବାଇକ୍ରେ ଆସିଥିବା ଚୋରା ଚାଲାଣକାରୀଙ୍କୁ ଟିମ୍ କାବୁ କରିଥିଲା। ପରେ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ବଜ୍ରକାପ୍ତା କାତି ଜବତ ହୋଇଥିଲା। ତେବେ ଏହି ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା, କେଉଁଠାକୁ ଚୋରାଚାଲାଣ ହେଉଥିଲା ଏବଂ ଏହି ରାକେଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।
Powered by Froala Editor