ନନ୍ଦନକାନନକୁ ଆସିଲେ ଜେବ୍ରା ଓ ୱାଲାବି
ନନ୍ଦନକାନନ ପ୍ରାଣୀଉଦ୍ୟାନର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁ ଦେଖିପାରିବେ । ଶନିବାର ରାତିରେ ଏଠାରେ ଆସି ନୂଆ ଅତିଥି ପହଞ୍ଚିଛନ୍ତି । ସେଥିରେ ରହିଛନ୍ତି ଜେବ୍ରା ଓ ୱାଲାବି ସହିତ ଅନ୍ୟ କିଛି ଜୀବଜନ୍ତୁ । ଏହି ନୂତନ ଜୀବଜନ୍ତୁଙ୍କୁ ଆଣିବା ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଉଥିଲା ।
ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା କରାଯାଇଥିଲା । ଅନୁମତି ମିଳିବା ପରେ ନୂତନ ଜୀବଜନ୍ତୁ ଅଣାଯାଇଛି । ଏଥିପାଇଁ ପୂର୍ବରୁ ବିଭିନ୍ନ ଖୁଆଡ଼ ନିର୍ମାଣ କରାଯାଇଥିଲା । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ନୂଆ ଜୀବଜନ୍ତୁଙ୍କୁ ଆଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଗୁଜୁରାଟରୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏସବୁ ଜୀବଜନ୍ତୁଙ୍କୁ ଅଣାଯାଇଛି । ଏହି ନୂତନ ଜୀବଜନ୍ତୁଙ୍କୁ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସଙ୍ଗରୋଧ ଗୃହରେ ୧ମାସ ପର୍ଯ୍ୟନ୍ତ ରଖାଯିବ । ପରେ ପର୍ଯ୍ୟଟକମାନେ ଏହି ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ।
ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ଲାଳନପାଳନ କରି ନନ୍ଦନକାନନ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।
Powered by Froala Editor