ଓରାଙ୍ଗ୍ଉଟାନ ଉଦ୍ଧାର ଘଟଣା: ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ଏସ୍ଟିଏଫ୍
ଭୁବନେଶ୍ୱର: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏହା ଏକ ଅନ୍ତର୍ଜାତୀୟ ପ୍ରାଣୀ ଚୋରା ଚାଲାଣ ର଼୍ୟାକେଟ ହୋଇଥିବାରୁ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଟିଏଫ୍ ଶୁକ୍ରବାର ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଥାର୍ ଗାଡ଼ି ମାଲିକଙ୍କୁ ଚିହ୍ନଟ କରିଛି। ସମ୍ପୃକ୍ତ ଥାର୍ ମାଲିକଙ୍କ ଘର ହାଓଡାରେ ହୋଇଥିବାବେଳେ ପଶ୍ଚିମବଙ୍ଗ ନ୍ୟୁ ଦୀଘାରେ ତାଙ୍କର ଏକ ହୋଟେଲ ରହିଛି। ଉକ୍ତ ହୋଟେଲରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ସେମାନେ କାହା ଜରିଆରେ ଓରାଙ୍ଗଉଟାନ ଶାବକଙ୍କୁ ଚାଲାଣ କରୁଥିଲେ। କ’ଣ ପାଇଁ ବାଲେଶ୍ୱର ଜଙ୍ଗଲରେ ଛାଡ଼ି ପଳାଇଲେ, ସେନେଇ ତଥ୍ୟ ସଂଗ୍ରହ କରିବାକୁ ଲାଗି ପଡିଛି। ତେବେ ମାଷ୍ଟରମାଇଣ୍ଡ୍ ଦୁବାଇରେ ରହି ର଼୍ୟାକେଟ ଚଳାଇଥିବାବେଳେ ଦୀଘାସ୍ଥିତ ଉକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅ ଭାରତରେ ଏହି ବେଆଇନ କାରବାରର ମଙ୍ଗ ଧରିଥିବା ଜଣାପଡିଛି। ଉଭୟ ବାପପୁଅ ଫେରାର ଥିବାବେଳେ ଏଥିରେ ଅନ୍ୟ ୬ଜଣଙ୍କ ସମ୍ପୃକ୍ତି ଥିବାରୁ ସମସ୍ତଙ୍କୁ ଧରିବାକୁ ଏସ୍ଟିଏଫ୍ ଟିମ୍ ଛାନ୍ଭିନ୍ କରୁଥିବା ସୂଚନା ମିଳିଛି।
Powered by Froala Editor