ଏଣିକି ଆଉ ନାହିଁ ନିସ୍ତାର, ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଲେ ମୋଟା ଅଙ୍କର ଗଣିବାକୁ ପଡ଼ିବ ତଣ୍ଡ
ଭୁବନେଶ୍ବର : ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିଲେ ସାବଧାନ! ଏଣିକି ଆଉ ନିସ୍ତାର ନାହିଁ। ରାଜ୍ୟର ଯେକୌଣସି ସ୍ଥାନରେ ନିମ୍ନମାନର ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ। ଏମିତିକି, ଦୋକାନକୁ ମଧ୍ୟ ବନ୍ଦ କରିଦିଆଯାଇପାରେ। ବାସି ଓ ଅପମିଶ୍ରିତ ଖାଦ୍ରକୁ ନେଇ ଖାଦ୍ୟ ନିରାପତ୍ତା ବିଭାଗ କଠୋର୍ ଆଭିମୁଖ୍ୟ ଗ୍ରହଣ କରିଛି। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଆଗକୁ ମଧ୍ୟ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ଯାଞ୍ଚ ସମୟରେ ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି। ଖାଦ୍ୟ ସୁରକ୍ଷା ଆୟୁକ୍ତ ଡ. ପୋମା ଟୁଡୁଙ୍କ ତତ୍ତ୍ବାବଧାନରେ ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ପୌରାଞ୍ଚଳରେ ଥିବା ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇ ଅପମିଶ୍ରିତ ଖାଦ୍ୟ ସାମଗ୍ରୀଗୁଡ଼ିକ ନଷ୍ଟ କରାଯିବା ସହ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପର୍ଯ୍ୟନ୍ତ ଏହି ଅଭିଯାନରେ ମୋଟ ୩,୬୦୫ କିଲୋ ନିମ୍ନମାନର ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି। ଏହାସହ ମୋଟ ୨,୮୪,୫୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେଥିରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ୭୮୭ କିଲୋ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ଏହାସହ ୬୧ଟି ନମୁନା ସଂଗ୍ରହ କରାଯାଇ ୬୮,୫୦୦ଟଙ୍କା ଜୋରିମାନା ହୋଇଛି।
ସେହିପରି, କଟକ ମହାନଗର ନିଗମ ଅଞ୍ଚଳରେ ୫୭୦ କିଲୋ ଏବଂ ରାଉରକେଲା ମହାନଗର ନିଗମରେ ୧୨୩ କିଲୋ ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯାଇଛି। ଜିଲାସ୍ତରରେ ମଧ୍ୟ ଜୋରଦାର ଅଭିଯାନ ମାଧ୍ୟମରେ ପୁରୀରେ ୧୨୦ କିଲୋ, ବାଲେଶ୍ବରରେ ୯୮ କିଲୋ, ଢେଙ୍କାନାଳରେ ୯୫ କିଲୋ, କେନ୍ଦ୍ରାପଡ଼ାରେ ୯୫ କିଲୋ ଏବଂ ସୁନ୍ଦରଗଡ଼ରେ ୭୦ କିଲୋ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ଏହାସହ କେନ୍ଦ୍ରାପଡ଼ାରେ ୪୪,୦୦୦ ଟଙ୍କା, ଢେଙ୍କାନାଳରେ ୨୮,୦୦୦ ଟଙ୍କା ଏବଂ ଭଦ୍ରକରେ ୩୧,୫୦୦ ଟଙ୍କା ଜୋରିମାନା ଲଗାଯାଇଛି। ବିଭାଗ ପକ୍ଷରୁ ଆଗାମୀ ଦିନରେ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଅଭିଯାନ ଜାରି ରହିବ। ଉପଭୋକ୍ତାଙ୍କୁ ମଧ୍ୟ ଖାଦ୍ୟ କିଣିବା ସମୟରେ ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା ଓ ଲେବେଲିଂ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor