୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୩,୧୬୭ଟି ସେତୁ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ
ଭୁବନେଶ୍ବର: ସେତୁ ବନ୍ଧନ ଯୋଜନା(ଏସ୍ବିୱାଇ) ଆର୍ଥିକ ବର୍ଷ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅଧୀନରେ ୧,୪୧୭ଟି ଅସମାପ୍ତ ସେତୁ ପ୍ରକଳ୍ପ ଏବଂ ୧,୭୫୦ଟି ନୂତନ ସେତୁ ପ୍ରକଳ୍ପକୁ ନେଇ ମୋଟ ୩,୧୬୭ଟି ସେତୁ ପ୍ରକଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଯୋଜନା ପାଇଁ ମୋଟ ଅନୁମୋଦିତ ଅର୍ଥରାଶି ୧୧,୮୦୦ କୋଟି ରହିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗ୍ରାମାଞ୍ଚଳରେ ସେତୁ ଅଭାବରୁ ସଂଯୋଗ ବିହୀନ ରାସ୍ତାକୁ ସେତୁ ନିର୍ମାଣ କରି ସବୁଦିନିଆ ସଂଯୋଗୀକରଣ ସୁନିଶ୍ଚିତ କରିବା ପାଇଁ ସେତୁ ନିର୍ମାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୧-୧୨ରେ ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ। ୨୦୨୫-୨୬ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୨,୧୪୮.୯୦ କୋଟି ଟଙ୍କା ବ୍ୟୟରେ ୨୯୪ଟି ସେତୁ ନିର୍ମାଣ କରାଯାଇଥିଲା। ତଦନୁସାରେ ରାଜ୍ୟ ସରକାର ଏହି ଯୋଜନାକୁ ସେତୁ ବନ୍ଧନ ଯୋଜନା ନାମରେ ପରିବର୍ତ୍ତନ କରିବା ସହ ଆର୍ଥିକ ବର୍ଷ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଅବଧି ଅନୁମୋଦନ କରିଛନ୍ତି। ନଦୀ, ନାଳ, କେନାଲ, ଝରଣା ଏବଂ ଅନ୍ୟାନ୍ୟ ଜଳାଶୟ ଉପରେ ସେତୁ ନିର୍ମାଣ କରାଯିବ। ଯେଉଁଠାରେ ସେତୁ ଭିଭିଭୂମିର ଅଭାବ ଯୋଗୁଁ ସଡ଼କ ଯୋଗାଯୋଗ ବ୍ୟାହତ ହେଉଛି, ସେଠାରେ ସବୁଦିନିଆ ସଂଯୋଗୀକରଣ ହେବ। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନସ୍ଥ ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ
ସମିତି ସଡ଼କରେ ଥିବା ସଂଯୋଗବିହୀନ ସ୍ଥାନଗୁଡ଼ିକରେ ସେତୁ ନିର୍ମାଣ କରାଯିବ।
ଅନୁମୋଦିତ ଯୋଜନା ନିର୍ଦେଶାବଳୀ ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଶାସନିକ ଓ ବୈଷୟିକ ବ୍ୟବସ୍ଥା ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ। ବିଭାଗୀୟ ଡିଜାଇନ୍ ଶାଖା ଏବଂ ଆବଶ୍ୟକତା ଅନୁଯାୟୀ ବାହ୍ୟ ଡିଜାଇନ ପରାମର୍ଶଦାତାଙ୍କ ମାଧ୍ୟମରେ ଜେନେରାଲ୍ ଆରେଞ୍ଜମେଣ୍ଟ ଡ୍ରଇଂ (ଜିଏଡି), ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର), ଡିଜାଇନ୍ ଏବଂ ବିଭିନ୍ନ ଉପାଦାନର ଚିତ୍ରାଙ୍କନ ପ୍ରସ୍ତୁତି କରାଯିବ। ବାହ୍ୟ ଡିଜାଇନ ପରାମର୍ଶଦାତାଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ ଓ ଚିତ୍ରାଙ୍କନଗୁଡ଼ିକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପୂର୍ବରୁ ଆଇଆଇଟି ଓ ଏନଆଇଟି ଭଳି ଜାତୀୟ ପ୍ରତିଷ୍ଠାନଙ୍କ ଦ୍ବାରା ଯାଞ୍ଚ କରାଯିବ। ଅନୁମୋଦିତ ଡିଜାଇନ, ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସେତୁ କାର୍ଯ୍ୟ ପାଇଁ ଟେଣ୍ଡର କରାଯିବ। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସମସ୍ତ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷା ସରକାରୀ କିମ୍ବା ସରକାରଙ୍କ ଦ୍ବାରା ଅନୁମୋଦିତ ପରୀକ୍ଷାଗାରରେ ହେବ। ଏହି ଯୋଜନା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
Powered by Froala Editor