ନେପାଳ ଭୟଙ୍କର ଫ୍ଲାସ୍ ଫ୍ଲଡ୍ରେ ଓଡ଼ିଆ ଦମ୍ପତି ନିଖୋଜ
ଭୁବନେଶ୍ବର: ନେପାଳରେ ବୁଧବାର ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା)ରେ ନିଖୋଜ ହୋଇଯାଇଛନ୍ତି ୧୩୩ ଜଣ ଭାରତୀୟ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ଏକ ଓଡ଼ିଆ ଦମ୍ପତି ଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତିତ ଅଛନ୍ତି। ଏହି ଦମ୍ପତିଙ୍କ ସୁରକ୍ଷା ନେଇ ପରିବାର ଲୋକେ ଆଶା ରଖିଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡାଙ୍କ ସୂଚନା ଅନୁଯାୟୀ, ହେଲ୍ପଲାଇନ୍ କୁ ଆସୁଥିବା ସୂଚନାକୁ ଆଧାର କରି ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ଼ କରାଯାଉଛି।
ଅନ୍ୟପକ୍ଷରେ ନେପାଳରେ ଥିବା ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେବା ଏବଂ ନିଖୋଜଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ଓଡ଼ିଶା ସରକାର ପକ୍ଷରୁ ହେଲ୍ପ ଲାଇନ୍ ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। ସହାୟତା ପାଇଁ ଜାରି ହୋଇଥିବା କଣ୍ଟ୍ରୋଲ୍ ରୁମ୍ ନମ୍ବରଗୁଡ଼ିକ ହେଉଛି ୦୧୧-୨୩୦୧୨୮୦୭, +୯୧-୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫। ଏହାସହିତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନେପାଳ ପାଇଁ ଜାରି ହୋଇଥିବା ହେଲପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ମାଧ୍ୟମରେ ଯୋଗାଯୋଗ କରିବାକୁ ବି ପରାମର୍ଶ ଦିଆଯାଇଛି।
ଏଯାଏ ୧୫୭ ଜଣଙ୍କ ମୃତଦେହ ମିଳିଥିବାବେଳେ, ତିବ୍ବତର ୩ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୧୬୦ ଛୁଇଁଛି।
Powered by Froala Editor