ବଡ଼ ମାଓବାଦୀ ଡମ୍ପ ଠାବ, ବହୁ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ଆଧାରରେ ମାଥିଲି ଥାନା ଅଞ୍ଚଳରେ ଡିଭିଏଫ୍ ଟିମ୍ର ଜୋରଦାର ତଲାସି ଅଭିଯାନ ବେଳେ ଏକ ବଡ଼ ମାଓବାଦୀ ଡମ୍ପ ଠାବ ହୋଇଛି। ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ବିନୋଦ ପାଟିଲଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ମାଥିଲି ଥାନା ଅଧୀନ ଚେରକୋଟଲା, କମିଟି, କୋଟୱାପଦର ଓ କଡ଼ଭଟା ଜଙ୍ଗଲରେ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୫ଟା ୩୦ରେ ଏହି ଡମ୍ପ ଠାବ କରାଯାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ଦରଭା ଓ ପୁଷପାଲ ଥାନା ସୀମାକୁ ଲାଗି ରହିଛି। ଡମ୍ପରୁ ୩ଟି ଦେଶୀ ବନ୍ଧୁକ, ୫ କେଜିର ଗୋଟିଏ ଆଇଇଡି, ୩ କେଜିର ୨ଟି ଓ ୨ କେଜିର ଗୋଟିଏ ଆଇଇଡି, ୨ଟି କ୍ଲେମୋର ମାଇନ୍, ୨ଟି ଆଇଇଡି ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏଥିସହ ମାଓବାଦୀ ୟୁନିଫର୍ମ, ବ୍ୟାନର, ରେଡିଓ ଆଣ୍ଟେନା, ବ୍ୟାଟେରି, ତାର, ଛୁରି, ଟର୍ଚ୍ଚ, ବ୍ୟାଗ ଓ ବିଭିନ୍ନ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ସାମଗ୍ରୀ ଏଓବିଏସ୍ଜେଡ୍ସିର ମାଓବାଦୀ କ୍ୟାଡରଙ୍କର ବୋଲି ସନ୍ଦେହ କରାଯାଉଛି। ମାଓବାଦୀଙ୍କ ଦ୍ୱାରା ସୁରକ୍ଷାବାହିନୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିବା ପାଇଁ ଏସବୁ ସାମଗ୍ରୀ ରଖାଯାଇଥିବା ପୁଲିସ ଅନୁମାନ କରୁଛି।
Powered by Froala Editor