ଆଜି ଏହି ୪ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ତିନୋଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ସ୍ଥାନେର ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅନ୍ୟପଟେ ଏସଆରସି କାର୍ଯ୍ୟାଳୟର ତଥ୍ୟାନୁଯାୟୀ, ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୩.୨ ମି.ମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ସମ୍ବଲପୁର ଜିଲାର ବାମରା ବ୍ଲକରେ ସର୍ବାଧିକ ୪୯.୦ ମି.ମି ବର୍ଷା ହୋଇଥିବା ବେଳେ ରାଜ୍ୟର ୩୨ଟି ବ୍ଲକ୍ ଏବଂ ୨ଟି ପୌରାଞ୍ଚଳର ୫ଟି ଷ୍ଟେସନରେ ୧୦ମି.ମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପୁରୀ ଜିଲାର କାକଟପୁରରେ ୪୭ମି.ମି, ରାଉରକେଲାରେ ୩୩.୬ ମିମି, ମାଲକାନଗିରିର ଖଇରପୁଟରେ ୩୩ ମିମି ଏବଂ ଭୁବନେଶ୍ୱରରେ ୩୩ମିମି ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟ ୧ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ୩୪୭.୭ ମି.ମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ହାରାହାରି ୨୯୮.୬ମି.ମି ତୁଳନାରେ ୧୬.୪% ଅଧିକ। ଚଳିତ ମୌସୁମି ଋତୁ ଅର୍ଥାତ୍ ଜୁନ୍ ୧ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୦୩.୯ମି.ମି.ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ହାରାହାରି ୮୪୩ ମି.ମି.ତୁଳନାରେ ୩୦.୯% ଅଧିକ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ତଥ୍ୟ କହୁଛି।
ମୌସୁମି ସମୟର ଜିଲାଗୁଡ଼ିକର ବର୍ଷା ସ୍ଥିତିକୁ ଦେଖିଲେ, ବରଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ, ବଲାଙ୍ଗିର, ଖୋରଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଜଗତସିଂହପୁର, ଯାଜପୁର, ଏବଂ ପୁରୀରେ ସ୍ୱାଭାବିକରୁ ୧୯%ରୁ ଅଧିକ ବର୍ଷା ହୋଇଛି। ଅବଶିଷ୍ଟ ୯ଟି ଜିଲା ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ଏବଂ ଗଜପତିରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।
Powered by Froala Editor