ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ ବିଧାନସଭା ଅଧିବେଶନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ବିଧାନସଭା ସଚିବ ସତ୍ୟବ୍ରତ ରାଉତ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବଙ୍କୁ ଅଗଷ୍ଟ ୨୪ରେ ପ୍ରଦାନ କରିଥିବା କ୍ୟାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁଥିବା ଏହି ମୌସୁମୀ ଅଧିବେଶନ ମାତ୍ର ୯ ଦିନ ଚାଲିବ। ୨୨ରୁ ୨୪ ପର୍ଯ୍ୟନ୍ତ ଗୃହରେ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ୨୫ ତାରିଖ ଶୁକ୍ରବାର ବେସରକାରୀ କାର୍ଯ୍ୟ ଅର୍ଥାତ୍ ବିଲ୍ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୬ ଏବଂ ୨୭ ସରକାରୀ ଛୁଟି ରହିଛି। ୨୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ଛୁଟି ରହିଛି। ଅକ୍ଟୋବର ୩ ବିଧାନସଭାର ଶେଷଦିନ ରହିଥିବା ଜଣାଯାଇଛି। ବିଧାନସଭାର ଏହି ବିଜ୍ଞପ୍ତିକୁ ନେଇ ଏବେ ଶାସକ ଓ ବିରୋଧୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେବେ ବିଧାନସଭାର ଆସନ୍ତା ଅଧିବେଶନଟି ସ୍ବଳ୍ପ ହୋଇଥିଲେ ମଧ୍ୟ ବହୁ ଗୁରୁତ୍ୱ ବହନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
Powered by Froala Editor