ପରିସ୍ରା ଯିବା ବାହାନାରେ ଅଭିଯୁକ୍ତ ମାରିଲା ଚମ୍ପଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା ବାହାନାରେ ଅଭିଯୁକ୍ତ ଟେକଚାନ୍ଦ ବେହେରା (୨୪) ଚମ୍ପଟ ମାରିଥିବା ନେଇ ସୁନ୍ଦରଗଡ଼ ଜେଲ୍ କର୍ତ୍ତୃପକ୍ଷ ଟାଉନ୍ ଥାନାରେ ରିପୋର୍ଟ କରିଛନ୍ତି। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ରୂପାବାହାଲ ଗ୍ରାମର ଟେକଚାନ୍ଦ ଏକ ହତ୍ୟା ମାମଲାରେ ଗତ ଏପ୍ରିଲ ମାସରୁ ଗିରଫ ହୋଇ ସୁନ୍ଦରଗଡ଼ ଜେଲ୍ରେ ଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା।
ତେବେ ମଙ୍ଗଳବାର ରାତିରେ ପରିସ୍ରା ଯିବା ବାହାନାରେ ସେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ପୋଲିସ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଯାଇଛି।
Powered by Froala Editor