ଲଘୁଚାପଜନିତ ବର୍ଷା: ବୈତରଣୀରେ ଆଉ ଏକ ବନ୍ୟା ଆଶଙ୍କା
ଭୁବନେଶ୍ବର : ରାଜ୍ୟରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନି। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ଏକ ମାସ ହେବ ଲଗାତାର ଲଘୁଚାପ ବର୍ଷା ଯୋଗୁଁ ଲକ୍ଷଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। କେବଳ ସାଧାରଣ ଜନତା ନୁହନ୍ତି, ପ୍ରାଣୀ ସମ୍ପଦ ଓ ଚାଷବାସ ପାଇଁ ବନ୍ୟା ବିପଦ ସାଜିଛି। ବନ୍ୟାର ପ୍ରକୋପ କମି ନଥିବା ବେଳେ ପୁଣି ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀରେ ଆଉ ଏକ ବନ୍ୟା ଆଶଙ୍କା ଦେଖାଦେଇଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ଯାଇଥିବା ବେଳେ ଆନନ୍ଦପୁର ଅଞ୍ଚଳରେ ମଧ୍ୟ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ବନ୍ୟା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଆଦି ଜିଲା ପ୍ରଭାବିତ ହୋଇଛନ୍ତି। ବୈତରଣୀ ବନ୍ୟାରେ ୫୦ରୁ ଊର୍ଦ୍ଧ୍ୱ ବ୍ଲକ ପ୍ରଭାବିତ ହୋଇଥିବା ବେଳେ ୭ଲକ୍ଷରୁ ଅଧିକ ଜନସାଧାରଣ କ୍ଷତିଗ୍ରସ୍ତ ହୋଇଛନ୍ତି।
ହଜାର ହଜାର ଏକର ଜମିରେ ପାଣି ପଶି ପରିବା ଚାଷ ଓ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଜକୁ ପ୍ରାୟ ଏକ ମାସ ହେଲା ତଳିଆ ଅଞ୍ଚଳଗୁଡ଼ିକରେ ଅଣ୍ଟାଏ ପାଣି ଜମି ରହିଥିବାରୁ ଲୋକେ ଘରୁ ଗୋଡ଼ କାଢ଼ିବା କଷ୍ଟକର ହୋଇପଡ଼ିଛି।
ବୈତରଣୀ ଅବହିକାରେ ସନ୍ଧ୍ୟା ୬ଟା ସୁଦ୍ଧା ଆନନ୍ଦପୁରଠାରେ ୦୭.୬୬ ମିଟର ଉପରେ ବନ୍ୟା ପାଣି ପ୍ରବାହିତ ହୋଇଥିବା ବେଳେ ବିପଦ ସଙ୍କେତ ୩୮.୩୬ ମିଟର ରହିଛି। ଏଠାରେ ଜଳସ୍ତର ବୃଦ୍ଧି ପାଉଛି। ଏହାସହ ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୮.୫୬ ମିଟର ଉପରେ ଜଳ ପ୍ରବାହିତ ହୋଇଛି। ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଯାଜପୁର ଜିଲାକୁ ପୁଣି ବନ୍ୟା ଭୟ ଘାରିଛି। ବୁଢ଼ାବଳଙ୍ଗ ନଦୀର ଅବବାହିକାର ଏନ୍ଏଚ୍-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ୬.୩୬ ମିଟର ଉପରେ ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀର ଜେନାପୁରଠାରେ ବିପଦ ସଙ୍କେତ ୨୩ମିଟର ଥିବା ବେଳେ ୨୦.୦୮ମିଟର ଉପରେ ଜଳ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର କମିବା ଦେଖାଯାଇଛି। ଯଦି ଉପରମୁଣ୍ଡରେ ବର୍ଷା ହୁଏ, ଜଳସ୍ତର ବୃଦ୍ଧି ପାଇବା ନିଶ୍ଚିତ ବୋଲି ବୋଲି କୁହାଯାଉଛି।
Powered by Froala Editor