ଝାରପଡ଼ା ଜେଲରେ କ୍ଷମତାଠାରୁ ଅଧିକ କଏଦୀ, ଗୋଟିଏ ସେଲ୍ରେ ୨୫ରୁ ଅଧିକ କଏଦୀ
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍ଲାଇନ୍ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି। କାରଣ ଝାରପଡ଼ା ଜେଲରେ ଥିବା ଆବଶ୍ୟକୀ କ୍ଷମତାଠାରୁ ଅଧିକ ବିଚାରାଧୀନ କଏଦୀ ହୋଇଗଲେଣି। ମିଳିଥିବା ତଥ୍ୟ ଅନୁସାରେ, ଝାରପଡ଼ା ଜେଲରେ ୮୯୧ଜଣ କଏଦୀ ରହିବାର କ୍ଷମତା ରହିଛି। ପୂର୍ବରୁ ୧୨୫୬ ଜଣ କଏଦୀ ଥିବାବେଳେ ଗିରଫ ଅଟୋ ଡ୍ରାଇଭର ଜେଲ ଯିବା ପରେ ଏହି ସଂଖ୍ୟା ୧୩୬୯ରେ ପହଞ୍ଚତ୍ଛି। ଫଳରେ ଜେଲରେ ଏକ ଅସମ୍ଭାଳ ସ୍ଥିତି ଉପୁଜିଛି। ଆବଶକୀ କୋଠରି ବା ସେଲ୍ ନ ଥିବାରୁ ଗୋଟିଏ ସେଲ୍ରେ ୨୫ରୁ ଅଧିକ କଏଦୀ ରହୁଛନ୍ତି। ଯେଉଁଥିପାଇଁ ଶୌଚାଳୟଠାରୁ ଆରମ୍ଭ କରି ଖାଦ୍ୟ ଖାଇବା ଏବଂ ଶୋଇବାରେ ସମସ୍ୟା ହେଉଛି। ଏତେ କଏଦୀଙ୍କୁ ସମ୍ଭାଳିବା ମଧ୍ୟ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୋଲିସ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ଟି ଭ୍ୟାନ୍ରେ ଝାରପଡ଼ା ଜେଲକୁ ପଠାଇଥିଲା। ଝାରପଡ଼ା ଜେଲରେ ଏବେ ରହିବାକୁ କଏଦୀଙ୍କ ସମସ୍ୟା ହେଉଥିବାରୁ କେତେଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ଜେଲ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି। ଆଗକୁ ମଧ୍ୟ ଏହି ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ତେଣୁ ଏବେଠୁ ଅନ୍ୟ ଜେଲକୁ କଏଦୀଙ୍କୁ ସ୍ଥାନାନ୍ତର ନ କଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି କୁହାଯାଉଛି।
ଆହୁରି ମଧ୍ୟ ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜେଲ ଭିତରେ ନିଜର ମନମାନି ଦେଖାଉଛନ୍ତି। ମନଇଚ୍ଛା ଜେଲ ଭିତରେ ଏକାଠି ହୋଇ ଗପିବା ସହ ଅନ୍ୟ କଏଦୀଙ୍କ ଉପରେ ଦାଦାଗିରି ଦେଖାଉଥିବା ଜାଣିବାକୁ ମିଳିଛି। ଜେଲ ରୋଷେଇ ଖାଇବାକୁ ମନା କରିବା ସହ ନିଜ ପସନ୍ଦର ରୋଷେଇ କରି ଖାଇବାକୁ ଦେବାକୁ ଦାବି କରୁଛନ୍ତି। ଏପରି କି ସେମାନଙ୍କୁ ତୁରନ୍ତ ଜାମିନ ନ ମିଳିଲେ ପୋଲିସ ବିରୋଧରେ ଜେଲ ଭିତରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣେ ଅଟୋ ଡ୍ରାଇଭର କହିଛନ୍ତି।
୨ଦିନ ତଳେ ଏହି ଡ୍ରାଇଭରମାନେ ବିମାନବନ୍ଦରରେ ଆତଙ୍କରାଜ କରିଥିଲେ। ହେଲେ ସେଠାରେ ସବୁ କିଛି ନିୟନ୍ତ୍ରଣାଧୀନ ରହିଥିଲା। ୨ଦିନ ଧରି ସେମାନେ ଆନ୍ଦୋଳନ କରୁଥିବାବେଳେ କେହି ତାଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। ଆହୁରି ମଧ୍ୟ ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ହଟିଯିବା ପାଇଁ ଧମକ ଦେଇଥିଲା। ଯେଉଁଥିପାଇଁ ତୃତୀୟ ଦିନରେ ଆତଙ୍କ ରଚାଇବା ପାଇଁ ଡ୍ରାଇଭରଙ୍କ ହ୍ବାଟ୍ସଆପ୍ ଗ୍ରୁପରେ ଯୋଜନା ହୋଇଥିଲା। କେଉଁମାନେ ପଥର ଅଟୋରେ ନେବେ, କିଏ ପୋଲିସକୁ ପଥର ମାଡ଼ କରିବ, କିଏ କାଚ ବୋତଲ ନେବ ଏବଂ କିଏ ଭଙ୍ଗାରୁଜା କରିବ, ସବୁ କିଛି ଦାୟିତ୍ୱ ବଣ୍ଟାଯାଇ ଗ୍ରୁପ୍ରେ ଏକ ଲିଷ୍ଟ ଛଡ଼ାଯାଇଥିଲା।
Powered by Froala Editor