'ଏଗ୍ରିଷ୍ଟେକ ID' ପାଇଁ ଚାଷୀଙ୍କ ପାଖକୁ ଯାଇ ପଞ୍ଜିକରଣ କରିବେ ସରକାରୀ ଅଧିକାରୀ
ଭୁବନେଶ୍ବର: ରାଜ୍ୟର ଚାଷୀଙ୍କୁ ଏବେ ମିଳିବ ଏକ ନୂଆ ପରିଚୟ । ଆଧାର କାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର 'ଏଗ୍ରିଷ୍ଟେକ ID' ପ୍ରସ୍ତୁତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏହି ପରିଚୟ ପତ୍ର ମାଧ୍ୟମରେ ଚାଷୀମାନେ ସରକାରୀ ସୁବିଧା ସୁଗମରେ ପାଇପାରିବେ । ଏହି ପଞ୍ଜିକରଣ ପ୍ରକ୍ରିୟା ବିଭିନ୍ନ ସମବାୟ ସମିତି ବା ସୋସାଇଟିରେ କରାଯାଉଛି । ତେବେ ଯେଉଁ ଚାଷୀମାନେ କୌଣସି କାରଣବଶତଃ ସମବାୟ ସଂସ୍ଥାକୁ ଆସିପାରିବେ ନାହିଁ, ସେମାନଙ୍କ ପାଇଁ ସରକାରୀ ଅଧିକାରୀମାନେ ନିଜେ ଚାଷୀଙ୍କ ପାଖକୁ ଯାଇ ପଞ୍ଜିକରଣ କରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ ସାହାଯ୍ୟ କରିବେ। ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି, ସମବାୟ, ରାଜସ୍ୱ ଏବଂ ଯୋଗାଣ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ ପ୍ରକ୍ରିୟାକୁ କିପରି ସରଳ କରାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି । ଚାଷୀଙ୍କୁ ଏହି ID ଜେନେରେଟ ହେବା ପରେ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ, ଯାହା ସେମାନଙ୍କର କୃଷି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂରକ୍ଷିତ ରଖିବ ।
ଏହି ପ୍ରକ୍ରିୟାରେ ଆହୁରି ଏକ ବଡ଼ ସୁବିଧା ରଖାଯାଇଛି । ବିଦେଶରେ ରହୁଥିବା ଚାଷୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ନିଜର ପଞ୍ଜିକରଣ କରିପାରିବେ ଏବଂ ଆଖି ସ୍କାନ (Eye Scan) ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ ।
Powered by Froala Editor