ପୁଣି ଖୋଲିଲା ହୀରାକୁଦରେ ୪ଟି ସ୍ଲୁଇସ୍ ଗେଟ୍
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ଉଦ୍ଦେଶ୍ୟରେ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ୧ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
ରବିବାର ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ରେ ପହଞ୍ଚିଥିବା ବେଳେ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୭ ହଜାର ୪୪୨ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି। ଅପରପକ୍ଷରେ ଜଳଭଣ୍ଡାରରୁ ମୋଟ ୯୩ ହଜାର ୪୦୬ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ ଘନଫୁଟ୍ ଏବଂ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନର ବ୍ୟବହାର ପାଇଁ ୩୩ ହଜାର ୩୫୪ ଘନଫୁଟ୍ ଜଳ ନିଷ୍କାସନ କରାଯାଉଛି।
୪ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ପରେ ମହାନଦୀ ଶଯ୍ୟାରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀକୂଳିଆ ଅଞ୍ଚଳର ବାସିନ୍ଦାଙ୍କୁ ନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି।
Powered by Froala Editor