ରଥ ଆଗରେ ଦଳାଚକଟା ଘଟଣା: ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ
ପୁରୀ : ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଦିନ ରଥ ଆଗରେ ଯେଉଁ ଦଳାଚକଟା ହେଲା ଓ ଶ୍ରଦ୍ଧାଳୁମାନେ ମୃତାହତ ହେଲେ ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । କେଉଁଠି ଭୁଲ ରହିଲା ତାହାକୁ ନେଇ ମଧ୍ୟ ଅକଳରେ ପଡ଼ିଥିବା ପ୍ରଶାସନ ଭିତିରି ସମୀକ୍ଷା କରୁଛି। ଏହାକୁ ନେଇ ଏବେ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଛନ୍ତି। ଆହତଙ୍କୁ ସଠିକ ଚିକିତ୍ସା ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯଇଛି। ଏଥିସହ ବାହୁଡା଼ ଯାତ୍ରା ସୁରକ୍ଷିତ ଭାବରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ଆବେଦନକୁ ବିଚାର କରି ମାନ୍ୟବର କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ଗତବର୍ଷ ଅପେକ୍ଷା ଏଥର ପୁରୀରେ ଦେଢ଼ାଗୁଣା ଅଧିକ ପୁଲିସ ଫୋର୍ସ ଓ ୩ ଗୁଣା ଅଧିକ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଥିଲା । ୪ ଗୁଣ ଅଧିକ ସରକାରୀ ପାଣ୍ଠି ବ୍ୟୟରେ ଅଧିକ ସୁବନ୍ଦୋବସ୍ତ ଭିତ୍ତିଭୂମି ତିଆରି ହୋଇଥିଲା । ହେଲେ ଭିଡ଼ ନିୟନ୍ତ୍ରଣରେ ଫେଲ ମାରିଲା ପ୍ରଶାସନ । ଫଳରେ ଦଳା ଚକଟାରେ ୨ ଜଣଙ୍କ ମୃତ୍ୟୁ ସାଙ୍ଗକୁ ପ୍ରାୟ ୫୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଭିତରେ ଅନେକ ଲୋକଙ୍କ ଗୋଡ଼ କିମ୍ବା ହାତ ଭାଙ୍ଗିଛି । ଅନେକ ଶ୍ୱାସରୁଦ୍ଧ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
Powered by Froala Editor