ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ
ଭୁବନେଶ୍ୱର: ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ’। ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି। ବାଘୁଆପାଳ-ବୁଢ଼ାପଙ୍କ, ହରିଦାସପୁର-ପାରାଦ୍ବୀପ, ଖୋରଧା ରୋଡ୍-ବଲାଙ୍ଗିର, ନୂଆପଡ଼ା-ଗୁଣୁପୁର, ଲାଞ୍ଜିଗଡ଼ ରୋଡ୍-ଜୁନାଗଡ଼ ଏବଂ ବୋବିଲି-ସାଲୁର ରେଳ ସେକ୍ସନ ମଧ୍ୟରେ କବଚ ପ୍ରକଳ୍ପ ହାତକୁ ନିଆଯିବ।
ସ୍ବୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ଟ୍ରେନ୍ ଦୁର୍ଘଟଣାକୁ ରୋକିବା ହେଉଛି ‘କବଚ’ ସୁରକ୍ଷା ବ୍ୟବସ୍ଥାର ମୂଳମନ୍ତ୍ର। କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ। ଏହା ରେଳଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ଅବିରତ ନଜର ରଖିଥାଏ। ଚାଳକ ଭୁଲ୍ରେ ସିଗ୍ନାଲ ଅତିକ୍ରମ କଲେ, ‘କବଚ’ ସତର୍କ ସୂଚନା ପଠାଇଥାଏ। ଏହା ସତ୍ତ୍ବେ ଚାଳକ ପଦକ୍ଷେପ ନ ନେଲେ, ଆପେଆପେ ବ୍ରେକ୍ ଲାଗିଯାଏ। ଖାଲି ସେତିକି ନୁହେଁ, ଅତି ଜରୁରୀ ପରିସ୍ଥିତିରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ଘଟଣାସ୍ଥଳକୁ ସିଗନାଲ୍ ପଠାଇଥାଏ। ସେହିପରି କବଚ ଜରିଆରେ ଘନକୁହୁଡ଼ି କିମ୍ବା ଅନ୍ୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଟ୍ରେନ୍ ସୁରକ୍ଷିତ ଭାବେ ଯାତ୍ରା କରିପାରିବ। ଲେବଲ୍ କ୍ରସିଂ, ବିପଜ୍ଜନକ ସ୍ଥାନରେ ଚାଳକଙ୍କୁ ଏହା ସତର୍କ କରିବ।
Powered by Froala Editor