ବୃଦ୍ଧି ହେଲା ଆଇନଜୀବୀଙ୍କ ସହାୟତା ରାଶି, କେତେ ଜାଣନ୍ତୁ ?
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଆଇନଜୀବୀମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା। ଏହି ସହାୟତା ରାଶି ବୃଦ୍ଧି ଦ୍ବାରା ୫ ବର୍ଷ ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀମାନଙ୍କୁ କେବଳ ଦେହାନ୍ତ କ୍ଷେତ୍ରରେ ପରିବାରର ନିକଟତମ ଆତ୍ମୀୟଙ୍କୁ ୧,୦୫,୦୦୦ ଟଙ୍କା ସହାୟତା ଦିଆଯିବ। ଏହାପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ପାଇବ। ଅବସର ଓ ଦେହାନ୍ତ କ୍ଷେତ୍ରରେ ଏହି ସହାୟତା ମିଳିବ। ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬,୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
Powered by Froala Editor