ଏହି ୩ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ
ଭୁବନେଶ୍ୱର: ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣିର ବିଂଝଗିରିଠାରେ ୨୦ ଏକର ପରିମିତ ଅଞ୍ଚଳରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଥିବା ବେଳେ, ରାଇରଙ୍ଗପୁରଠାରେ କେନ୍ଦ୍ରୀୟ ଆୟୁର୍ବେଦିକ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି।
ରବିବାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ହେଉଛି ଯୋଗ I ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ ରୁ ୩୦ ମିନିଟ୍ ଯୋଗ କରିବାକୁ ପଡ଼ିବ ।
କଲିକତାରୁ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଲାଇଭ୍ ଯୋଗ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ମୁଖ୍ୟମନ୍ତ୍ରୀ ନିଜେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଯୋଗ ପ୍ରେମୀମାନଙ୍କ ଗହଣରେ ବସି ସାମୂହିକ ଭାବେ ପ୍ରତ୍ୟକ୍ଷ ଯୋଗାଭ୍ୟାସ କରିଥିଲେ । ଯୋଗ ମହୋତ୍ସବ ସମିତି ତରଫରୁ କାର୍ଯ୍ୟକ୍ରମକ ଆଲୋକ ଦାସ ଏବଂ ସତ୍ୟ ଶୋଭନ ମିଶ୍ର ପରିଚାଳନା କରୁଥିଲେ ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭୂପିନ୍ଦର ସିଂ ପୁନିଆ ଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍, ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Powered by Froala Editor