୨୪ରେ ଓପିଡି ସେବାକୁ ୧ ଘଣ୍ଟା ପାଇଁ ବର୍ଜନ କରିବେ ଡାକ୍ତର, ୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭୁବନେଶ୍ୱର: ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (ଓମ୍ସା)। ଏହା ପୂର୍ବରୁ ଅର୍ଥାତ୍ ଜୁନ୍ ୨୪ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓପିଡି ସେବାକୁ ୧ ଘଣ୍ଟା ପାଇଁ ବର୍ଜନ କରିବେ ଡାକ୍ତର। ୧୦ ଦଫା ଦାବି ନେଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶନିବାର ଓମ୍ସା ପକ୍ଷରୁ ଆୟୋଜିତ ବୈଠକରେ ସୂଚନା ଦିଆଯାଇଛି।
ଓମ୍ସାର ଡା. କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଡାକ୍ତରଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ପାଇଁ ଡାକ୍ତର ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। ୩ମାସ ମଧ୍ୟରେ ସଂଘର ଦାବି ପୂରଣ କରାଯିବ ବୋଲି ସରକାର ଜାନୁଆରୀରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ୬ ମାସ ବିତିସାରିଥିଲେ ହେଁ ଏଯାଏ ଗୋଟିଏ ବି ଦାବି ପୂରଣ ହୋଇନାହିଁ। ତେଣୁ ଜୁନ୍ ୩୦ ସୁଦ୍ଧା ଦାବି ପୂରଣ ନ ହେଲେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ।
ସେହିପରି ଜୁଲାଇ ୧ରୁ ଡାକ୍ତରଙ୍କ ଗଣ ଇସ୍ତଫା ଆରମ୍ଭ ହେବ। ଓମ୍ସା ପକ୍ଷରୁ ଡାକ୍ତରଙ୍କ ଇସ୍ତଫାପତ୍ର ସଂଗ୍ରହ କରି ସରକାରଙ୍କ ନିକଟକୁ ପଠାଯିବ। ଦୀର୍ଘଦିନ ଧରି ଦାବି ପୂରଣ ନ ହେବା ଏବଂ ଡାକ୍ତରଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ପ୍ରତି ଏହା ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଇଛି।
Powered by Froala Editor