ଡିଜିଟାଲ୍ କ୍ରିଏଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କଣ କହିଲେ ଜାଣନ୍ତୁ ?
ଭୁବନେଶ୍ବର: ଡିଜିଟାଲ୍ କ୍ରିଏଟରମାନେ ହେଉଛନ୍ତି ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସାଡର୍ସ’ ଏବଂ ଭବିଷ୍ୟତର ‘ଓପିନିଅନ୍ ଲିଡର୍ସ’। ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶୁକ୍ରବାର ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟରମାନଙ୍କୁ ଭେଟିବା ଅବସରରେ ଶ୍ରୀ ମାଝୀ କହିଛନ୍ତି ଯେ, ଆପଣ ସରକାରଙ୍କୁ ସମାଲୋଚନା କରି ପାରିବେ, କିନ୍ତୁ ସରକାରଙ୍କୁ ସମାଲୋଚନା କରିବା ଆଳରେ ‘ଦେଶକୁ’ ଅସମ୍ମାନ କରିବା କେବେ ବି ଗ୍ରହଣୀୟ ନୁହେଁ। ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଯୋଗୁଁ ଯୁବପିଢ଼ି ଯେଭଳି ବିବାଦରେ ଛନ୍ଦି ହୋଇ ନିଜ ଭବିଷ୍ୟତ ନଷ୍ଟ ନ କରନ୍ତି, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମକୁ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଡିଆର ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି, ଯେଉଁଠି ‘ବସୁଧୈବ କୁଟୁମ୍ବକମ୍’ର ଶିକ୍ଷା ଦିଆଯାଇଥାଏ। ତେଣୁ କେବଳ ଲୋକପ୍ରିୟତା ପାଇଁ କୌଣସି ବିପଦଜନକ ଷ୍ଟଣ୍ଟ୍, କ୍ଷତିକାରକ ଆହ୍ୱାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ। ଗୁଜବ ଓ ମିଥ୍ୟା ଖବର ବିରୋଧରେ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସ୍ବାସ୍ଥ୍ୟ ବିଶେଷଜ୍ଞ, କଳା ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ସୋସିଆଲ ମିଡିଆର ବହୁ ଇନ୍ଫ୍ଲୁଏନ୍ସର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ।
Powered by Froala Editor