ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ, ତିନିରଥର ପାଞ୍ଚଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ
ପୁରୀ: ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି। ତିନିରଥର ପାଞ୍ଚଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ସେଥିରେ ମୁଖସାଲ କରାଯାଇଛି। ବୁଧବାର ମୁଖ୍ୟ ମହାରଣାମାନେ ସେଗୁଡ଼ିକୁ ତଦାରଖ କରିଛନ୍ତି। ଦଣ୍ଡା ଫ୍ରେମ୍ ପ୍ରସ୍ତୁତି ପରେ ପାଞ୍ଚଦଣ୍ଡାର ଉଭୟ ପାର୍ଶ୍ୱରେ ସଂଯୋଗ କରାଯିବ। ତିନିରଥର ୨୦ ଫୁଟିଆ ମୁହାଁଟ ନିର୍ମାଣ ଶେଷହୋଇ ରଥଖଳାରେ ସାଇତା ଯାଇଛି। ପାର୍ଶ୍ୱଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ଉଭୟ ପାର୍ଶ୍ୱରେ କୁଡ଼ୁକା ଦ୍ୱାରା ସଂଯୋଗ କରାଯିବ।
ଦର୍ପଦଳନ ରଥର ପାଞ୍ଚଦଣ୍ଡା ସହ ଦୁଇପାର୍ଶ୍ୱରେ ଗୋଟିଏ ଲେଖାଏଁ ଦଣ୍ଡାକୁ ମିଶାଇ ୭ଟି ଦଣ୍ଡା ଲଗାଯାଉଛି। ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚଦଣ୍ଡା ସହ ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ ପାର୍ଶ୍ୱ ଦଣ୍ଡାକୁ ମିଶାଇ ମୋଟ ୯ଟି ଲେଖାଏଁ ଦଣ୍ଡା ସଂଯୋଗ କରାଯାଉଛି। ରୂପକାର ସେବକ ତିନିରଥର ୩୩ ଟି ସାଲଗୁଜରେ ରୂପ ଖୋଦେଇ କରିଛନ୍ତି। ସେଥିରେ ଅଳଙ୍କାର ପକାଯିବା ସହ ପଲିସ୍ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୮ ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଶେଷ ହୋଇଛି।
ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକ ତିନିରଥର ଦଣ୍ଡାକଣ୍ଟା ସହ ଗରଗରା କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଚନ୍ଦା ଗୟଳ କଣ୍ଟା ଏବଂ ବଡ଼ଥଳ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପହି ମହାରଣାମାନେ ଅଣସର ଓ ରଥଯାତ୍ରା ନୀତି ପାଇଁ କୁରୁମ ପିଢ଼ା, ଶୁଦ୍ଧସୁଆର ପିଢ଼ା, ବନକପିଢ଼ା, ରୁଖା, ଭେଟବାକ୍ସ ପ୍ରସ୍ତୁତ କରୁଛନ୍ତି।
Powered by Froala Editor