ଓଡ଼ିଶାକୁ ଦେଶର ‘ଇସ୍ପାତ ରାଜଧାନୀ’ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
ଜଗତସିଂହପୁର: ପାରାଦ୍ବୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ’ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ପାରାଦ୍ବୀପର ଢିଙ୍କିଆରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଇସ୍ପାତ ରାଜଧାନୀ’ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଆଜିଠାରୁ ଏହି ବୃହତ୍ ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପରେ ଜେଏସଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ ୨୪ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେବା ସହ ଏଠାରେ ୧୨ ନିୟୁତ ଟନ୍ର ଏକ ସିମେଣ୍ଟ କାରଖାନା,
୯୦୦ ମେଗାୱାଟର କାପ୍ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ବତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସବୁ ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ଗତିରେ କାମ ଚାଲିଥିଲେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୮ରେ ଆରମ୍ଭ ହୋଇଥାନ୍ତା, କିନ୍ତୁ ସେହି ୨୦୨୮ ସୁଦ୍ଧା ଏଠାରୁ ଇସ୍ପାତ ଉତ୍ପାଦନ ଆରମ୍ଭ ହେବ। ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଖୁବ୍ ଶୀଘ୍ର ନୂତନ ଇସ୍ପାତ କାରଖାନା ଗଢ଼ି ଉଠିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦ୍ବୀପ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏବଂ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଜେଏସଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏଫ୍ଇ’ର ବରିଷ୍ଠ କର୍ମକର୍ତ୍ତା ଜେଏସଡବ୍ଲ୍ୟୁର ଜୟନ୍ତ ଆଚାର୍ଯ୍ୟ, ସଭାପତି ଅନିଲ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor