ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲେ ମହିଳା କର୍ମୀ
ଭୁବନେଶ୍ବର : କ୍ରମାଗତ ଭାବେ ଦେଶରେ ପେଟ୍ରୋଲ, ଡିଜେଲ, ସିଏନ୍ଜି ଓ ରନ୍ଧନ ଗ୍ୟାସର ଅସ୍ବାଭାବିକ ଦରବୃଦ୍ଧି ଯୋଗୁଁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ମିଳିତ ଆହ୍ୱାନରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପୂର୍ବକ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରିଥିଲେ ମହିଳା କର୍ମୀ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଭୁବନେଶ୍ବର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଏମ୍ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରିଥିଲେ।
Powered by Froala Editor