ଏଆଇଏଡିଏମ୍କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
ଚେନ୍ନଇ: ତାମିଲନାଡୁ ରାଜନୀତିରେ ସୋମବାର ବଡ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଏଆଇଏଡିଏମ୍କେର ୩ଜଣ ବିଧାୟକ ଦଳ ଛାଡି ଶାସକ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ)ରେ ଯୋଗ ଦେଇଛନ୍ତି। ଦଳ ଛାଡିବା ପୂର୍ବରୁ ବିଧାୟକମାନେ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଇସ୍ତଫାକୁ ବାଚସ୍ପତି ଜେସିଡି ପ୍ରଭାକର ଅନୁମୋଦନ କରିଛନ୍ତି। ବିଧାୟକ ପଦ ଛାଡି ଟିଭିକେରେ ଯୋଗ ଦେଇଥିବା ଏଆଇଏଡିଏମ୍କେର ବିଧାୟକମାନେ ହେଲେ ମାର୍ଗାଥାମ କୁମାରାଭେଲ୍, ଜୟକୁମାର ଓ ସତ୍ୟଭାମା। ଏହି ନେତାମାନେ ଆଗାମୀ ଦିନରେ ଟିଭିକେ ଟିକଟରେ ନିଜ ନିଜ ଆସନରୁ ଉପନିର୍ବାଚନ ଲଢିବେ। ଏଥିପାଇଁ ଟିଭିକେ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ତିନି ବିଧାୟକଙ୍କ ଇସ୍ତଫା ପରେ ଇକେ ପଲାନିସ୍ବାମୀଙ୍କ ନେତୃତ୍ବାଧୀନ ଏଆଇଏଡିଏମ୍କେକୁ ବଡ ଧକ୍କା ଲାଗିଛି। ଏହା ପୂର୍ବରୁ ମେ’ ୧୩ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ସମୟରେ ଏଆଇଏଡିଏମ୍କେର ୨୫ଜଣ ବିଧାୟକ ଟିଭିକେ ସରକାର ସପକ୍ଷରେ ଭୋଟ ଦେଇଥିଲେ। ତାମିଲନାଡୁ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପରଠାରୁ ଏଆଇଏଡିଏମ୍କେରେ ବିଭାଜନ ଆରମ୍ଭ ହୋଇଛି।
Powered by Froala Editor