୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ
ନକଲି ବିବାହ ସ୍କାମ୍ରେ ଫସିଯାଇଛନ୍ତି ୪୨ ଜଣ ବର । ଗତ ରବିବାର ଦେୱସଠାରେ ଏହି ଘଟଣା ଘଟିଛି । ପୁଲିସ ଅନୁସାରେ, ଏହା କେବଳ ଆର୍ଥିକ ଠକେଇ ମାମଲା ନୁହେଁ, ବରଂ ଦେୱସ ଓ ପଡ଼ୋଶୀ ଜିଲ୍ଲାରୁ ବିବାହ ଲାଗି ଆସିଥିବା ଏକାଧିକ ପୁରୁଷଙ୍କର ସାର୍ବଜନୀନ ଅପମାନ । ଏ ମାମଲାରେ ଇନ୍ଦୋର ସ୍ଥିତ ଏକ ଅନାଥାଳୟରୁ କନ୍ୟା ଆଣିବାର ପ୍ରତିଶ୍ରୁତିରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି ।
ପୁଲିସ ଅନୁସାରେ, ବିବାହ ବାହାନାରେ ଏହା ଏକ ସଂଗଠିତ ଠକେଇ ମାମଲା । ଦେୱସରେ ଗଣ ବିବାହ ଆୟୋଜନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ମଧ୍ୟସ୍ଥିମାନଙ୍କୁ ବିବାହ ଲାଗି ପ୍ରତ୍ୟେକ ବର ୧୫,୦୦୦ରୁ ୨୫,୦୦୦ ଟଙ୍କା ଦେଇଥିଲେ । କିଛି ଯୁବକ କହିଛନ୍ତି, ସେମାନଙ୍କୁ କିଛି ସପ୍ତାହ ପୂର୍ବରୁ ମୋବାଇଲ ଫୋନ୍ରେ କନ୍ୟାଙ୍କ ଫଟୋ ଦେଖାଯାଇଥିଲା । ଆଉ କିଛି ଯୁବକଙ୍କୁ କୁହାଯାଇଥିଲା, କନ୍ୟା ଗରିବ କିମ୍ବା ଅନାଥ ଏବଂ ସେମାନେ ତୁରନ୍ତ ବିବାହ କରିବାକୁ ଚାହୁଁଛନ୍ତି । ଅଭିଯୁକ୍ତଙ୍କୁ ଠାବ କରାଯାଇଛି । ଅନାଥାଶ୍ରମ ସମ୍ପର୍କିତ ଦାବିର ମଧ୍ୟ ଯାଞ୍ଚ ଚାଲିଛି ।
ରାଜକୁମାରୀ ନାମ୍ନୀ ଜଣେ ମହିଳା କହିଛନ୍ତି, ମୋ ଭାଇର ବିବାହ ଲାଗି ଆମେ ଅନ୍ଲାଇନ୍ ଦସ୍ତାବିଜ ପୈଠ କରିଥିଲୁ । ବଛା ବଛା କନ୍ୟାଙ୍କ ଫଟୋ ଆମ ମୋବାଇଲ ଫୋନ୍କୁ ପଠାଯାଇଥିଲା । ବିବାହ ସ୍ଥଳୀରେ ପହଞ୍ଚିବା ପରେ ଆୟୋଜକମାନେ ସେମାନଙ୍କୁ ବାରମ୍ବାର କହିଲେ ଯେ ମ୍ୟାଡାମ୍ କନ୍ୟାଙ୍କ ସହିତ ରାସ୍ତାରେ ଅଛନ୍ତି । କିନ୍ତୁ ଅଧ ରାତି ଯାଏ କେହି ବି ଆସିଲେ ନାହିଁ ।
ହରନିୟାକଲାନ ଗାଁରୁ ଆସିଥିବା ରାହୁଲ କହିଛନ୍ତି, ପଞ୍ଜିକରଣ ଶୁଳ୍କ ରୂପେ ଆମ ସମସ୍ତଙ୍କୁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । କନ୍ୟାମାନେ ଇନ୍ଦୋର ସ୍ଥିତ ମାତ୍ରୁ ଛାୟା ଆଶ୍ରମର ବୋଲି ସେମାନଙ୍କୁ କୁହାଯାଇଥିଲା । ଫଟୋ ମାଗିବାରୁ ଆୟୋଜକମାନେ ସୋସିଆଲ ମିଡିଆରୁ ଡାଉନ୍ଲୋଡ କରି ଫଟୋ ଦେଖାଇଥିଲେ । ବିବାହ ପୂର୍ବ ଦିନ ଦେୱସ ଆସିବାକୁ କହିଥିଲେ । କିନ୍ତୁ ବିବାହ ସ୍ଥଳୀରେ ପହଞ୍ଚିବା ବେଳକୁ ସେଠାରେ କେହି ନ ଥିଲେ । ସମସ୍ତଙ୍କ ଫୋନ୍ ବନ୍ଦ ଥିଲା ।
Powered by Froala Editor