ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି
ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ପରାଜୟ ପରେ ମମତା ବାନାର୍ଜୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଲୋକସଭା ସାଂସଦ କାକୋଲି ଦସ୍ତିଦାର୍ ବାରାସାତ୍ ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନିର୍ବାଚନ ପରିଚାଳନାକୁ ନେଇ ସେ ଅସନ୍ତୋଷ ଝାଡ଼ିଛନ୍ତି ।
ବାରାସାତରୁ ସାଂସଦ ହୋଇଥିବା ଡକ୍ଟର କାକୋଲି ଘୋଷ ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମ୍ସି ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ନିର୍ବାଚନ ସମୟରେ ଆଇ-ପ୍ୟାକ୍ ଟିମ୍ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା । ଯାହା ଦଳର କାର୍ୟ୍ୟଶୈଳୀକୁ ପ୍ରଭାବିତ କରିଥିଲା। ମୋ ନିର୍ବାଚନମଣ୍ଡଳୀର ସମସ୍ତ ଆସନରେ ଦଳର ପରାଜୟ ହୋଇଛି । ତେଣୁ ମୁଁ ଏହି ଖରାପ ପ୍ରଦର୍ଶନର ଦାୟିତ୍ୱ ନେଉଛି । ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଉଛି। ସାମ୍ପ୍ରତିକ ସମୟରେ ଦୁର୍ନୀତି ଓ ଅପରାଧ ସହ ଜଡ଼ିତ ଘଟଣାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ଦଳର ଭାବମୂର୍ତ୍ତିକୁ ପ୍ରଭାବିତ କରିଛି।
କାକୋଲି ଚିଠି ଲେଖି ଜଣାଇଛନ୍ତି ଯେ, କିଛି ଦିନ ହେଲା ପଶ୍ଚିମବଙ୍ଗରେ ଅପରାଧ ଓ ଦୁର୍ନୀତି ଘଟଣାକୁ ନେଇ ଲୋକଙ୍କ ମନରେ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଭୟ ଦେଖାଯାଇଥିଲା। ଗଣତନ୍ତ୍ରରେ ଉତ୍ତରଦାୟୀ ହେବା ଓ ଲୋକଙ୍କ ପ୍ରତି ଦାୟିତ୍ବବୋଧ ରହିବା ଓ ନୈତିକତାକୁ ଗୁରୁତ୍ବ ଦେବା ଜରୁରୀ। ବିଧାନସଭା ନିର୍ବାଚନରେ ଜିଲ୍ଲାରେ ଦଳ ଆଶା ଅନୁଯାୟୀ ପ୍ରଦର୍ଶନ କରିନଥିଲା।
Powered by Froala Editor