ଟାଟା ଏସିକୁ ଧକ୍କା ଦେଲା ଟ୍ରକ, ଦୁଇ ଗୁରୁତର
ଖଣ୍ଡଗିରି : ରବିବାର ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଓଭରବ୍ରିଜ ଉପରେ ଏକ ଦୁର୍ଘଟଣା ଘଟିଛି। ଟାଟା ଏସିକୁ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଛି। ଫଳରେ ଟାଟା ଏସି ଗାଡିଟି ଡିଭାଇଡର ଉପରକୁ ଚଢିଯାଇଛି। ଅଟୋ ଚାଳକ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ।
ମିଳିଥିବା ସୂଚନା ଅନୁସାରେ ଖଣ୍ଡଗିରି ଓଭରବ୍ରିଜ ଉପରେ ଏକ ପିକଅପ ଭ୍ୟାନ ଖରାପ ଥିବାରୁ ଅଟକି ରହିଥିଲା। ବରମୁଣ୍ଡାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ଟାଟା ଏସି ଆଗରେ ପିକପ ଭ୍ୟାନ କୁ ଦେଖି ତାର ଗତି କମାଇ ଦେଇଥିଲା। କିନ୍ତୁ ପଛରୁ ଦୃତ ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଅଟକି ନପାରି ଅଟୋକୁ ଧକ୍କା ଦେବାରୁ ଅଟୋଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଯାଇଥିଲା। ଫଳରେ ଅଟୋ ଚାଳକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଟାଟା ଏସି ଅଟୋ ଭାଙ୍ଗି ଚୁରୁମାର ହୋଇଯାଇଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛନ୍ତି।
Powered by Froala Editor