ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା
ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ଗରମ ଓ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଦେଶବାସୀଙ୍କ ଜୀବନ । ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି। ସମଗ୍ର ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଏବଂ ଏସିଆରେ ତୃତୀୟ ଭାବେ ଚିହ୍ନଟ ହୋଇଛି। ବାନ୍ଦା ଜିଲାରେ ଦିନର ତାପମାତ୍ରା ୪୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହା ଗତ ୭୫ ବର୍ଷ ମଧ୍ୟରେ ୧୮ ମଇରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା।
ଚଳିତ ବର୍ଷ ଏଲ ନିନୋ ଯୋଗୁଁ ରେକର୍ଡ ଭଙ୍ଗା ଗୀଷ୍ମ ଲହରୀ ଅନୁଭବ କରିବେ ଦେଶବାସୀ । ତାପମାତ୍ରା ବୃଦ୍ଧି ଯୋଗୁଁ କେବଳ ଦିନ ମଜୁରିଆ ଯେ ହଇରାଣ ହୁଅନ୍ତି ତା’ନୁହେଁ ବରଂ ଏହା ଦେଶର ଉତ୍ପାଦକତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଶ୍ରୀ ରାମଚନ୍ଦ୍ର ପ୍ରତିଷ୍ଠାନର ବିଦ୍ୟା ବେନୁଗୋପାଳ, ପିକେ ଲାଥା ଏବଂ ରେଖା ଶନମୁଗମଙ୍କ ଦ୍ୱାରା ଏକ ସାଇଣ୍ଟିଫିକ୍ ରିପୋର୍ଟରେ ଏସମ୍ପର୍କିତ ତଥ୍ୟ ପ୍ରକାଶିତ ହୋଇଛି।
ରିପୋର୍ଟ ଅନୁସାରେ ଖରାରେ ମଧ୍ୟ ତାମିଲନାଡୁର ୧୧ଟି ଜିଲ୍ଲାର ୧,୫୬୦ ଜଣ ଶ୍ରମିକ ଦୁଇ ବର୍ଷ ପାଇଁ ବାହାରେ କାମ କରିବାକୁ ବାଧ୍ୟ ହୋଇଥିଲେ । ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ୨୭. ୫ ଡିଗ୍ରୀରୁ ଅଧିକ ତାପମାତ୍ରା ଥିବା ସମୟରେ କାମ କରିବାକୁ ଅସୁରକ୍ଷିତ ବୋଲି ବିବେଚନା କରାଯାଏ। ହେଲେ ଦୁର୍ଭାଗ୍ୟର ବିଷୟ ୮୮ ପ୍ରତିଶତ ଶ୍ରମିକଙ୍କୁ ଉଚ୍ଚ ତାପମାତ୍ରାରେ ମଧ୍ୟ କାମ କରିବାକୁ ପଡ଼ୁଛି।
ପୂର୍ବରୁ ୨୭ ଏପ୍ରିଲ, ୨୦୨୬ ରେ ବାନ୍ଦାରେ ମଧ୍ୟ ୪୭.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସମୟରେ, ଗତ କିଛି ଦିନ ଧରି ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିଛି। ଫଳସ୍ୱରୂପ,ଭାରତ ପାଣିପାଗ ବିଭାଗ (IMD) ବୁଧବାର ଜାତୀୟ ରାଜଧାନୀ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି।
Powered by Froala Editor