ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
ଦିଲ୍ଲୀର ଜଣେ ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକାଙ୍କୁ ଅପହରଣ ଘଟଣାର ଖୁଲାସା ହୋଇଛି। ଅପହରଣକାରୀମାନେ ନିର୍ଦ୍ଦେଶିକାଙ୍କୁ ଅପହରଣ କରି ୧ କୋଟି ୮୯ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏପରିକି ଅପହରଣକାରୀଙ୍କ ମଧ୍ୟରୁ ଜଣେ ହେଉଛି ସେହି ଏକାଡେମୀର ଜଣେ ପୂର୍ବତନ ଛାତ୍ର ପ୍ରିୟଙ୍କ ଶର୍ମା ।
ପୋଲିସ୍ ପ୍ରିୟଙ୍କଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ଅସୁସ୍ଥତାର ବାହାନା କରି ଏମ୍ସ ଭୋପାଳ ଆଇସିୟୁରେ ଭର୍ତ୍ତି ହୋଇ ଯାଇଥିଲେ। ତଥାପି ପୋଲିସ୍ ତାଙ୍କୁ ହସ୍ପିଟାଲରୁ ହିଁ ଗିରଫ କରିଥିଲା। ତଦନ୍ତରୁ ଜଣାପଡିଛି ଯେ, ପ୍ରିୟଙ୍କ ଡକାୟତି ପରେ ବିଦେଶ ପଳାଇବାକୁ ଯୋଜନା କରୁଥିଲେ।
ସୂଚନା ଅନୁଯାୟୀ, ଦିଲ୍ଲୀରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ପ୍ରିୟଙ୍କ ଶର୍ମା ଏକ ସେମିନାର ଏବଂ ନୂତନ କୋଚିଂ ସେଣ୍ଟର ଖୋଲିବା ବାହାନାରେ ଦିଲ୍ଲୀରୁ ଭୋପାଳକୁ ଡାକିଥିଲେ। ପ୍ରିୟଙ୍କ ଭାବୁଥିଲେ ଯେ, ଶୁଭ୍ରାଙ୍କ ପାଖରେ ବହୁତ ଟଙ୍କା ଅଛି। ତେଣୁ ସେ ଏହାକୁ ହାତେଇବା ଲାଗି ଏଭଳି ଷଡଯନ୍ତ୍ର ରଚିଥିଲେ।
ଯେତେବେଳେ ଶୁଭ୍ରା ଭୋପାଳରେ ପହଞ୍ଚି ଥିଲେ, ସେତେବେଳେ ତାଙ୍କୁ ବାଗସେବନିଆ ଅଞ୍ଚଳରେ ଏକ ଭଡା ଘରେ ୪ ଘଣ୍ଟା ଧରି ପଣବନ୍ଦୀ କରି ରଖିଥିଲେ। ସେଠାରେ ତାଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖି ଡରାଇ ଧମକାଇ ବିପୁଳ ଟଙ୍କା ଆଦାୟ କରିଥିଲେ। ଏହାପରେ ସେମାନେ ଶୁଭ୍ରାଙ୍କୁ ଛାଡି ଦେଇଥିଲେ। ଶୁଭ୍ରା ସେଠାରୁ ଆସିବା ପରେ ପୋଲିସକୁ ଖବର ଦେଇଥିଲେ।
Powered by Froala Editor