ସିଂହଦ୍ବାର ସମ୍ମୁଖରେ ଲହଡି ମାରୁଛି ଶୌଚାଳୟର ମଇଳା ଟାଙ୍କି ପାଣି
ପୁରୀ : ରବିବାର ସକାଳେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶୌଚାଳୟ ପାଣିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ଶନିବାର ରାତିରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଥିବା ଶୌଚାଳୟର ମଇଳା ଟାଙ୍କି ଜାମ୍ ହୋଇ ଫାଟି ଯାଇଥିଲା। ରବିବାର ସକାଳେ ସିଂହଦ୍ବାର ସାମ୍ନାରେ ଶୌଚାଳୟର ମଳ, ମୂତ୍ର ମିଶା ନଳା ପାଣି ଭାସୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ନଳା ପାଣି ମାଡ଼ି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ବାର ପାର୍ଶ୍ବରେ ପାଦ ଧୋଇବା ପରେ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ପାଣି ନଷ୍ଟ ହୋଇ ଭୂତଳ ଡ୍ରେନ ଦେଇ ମୂଷା ନଈରେ ନିଷ୍କାସିତ ହେଉଛି। ଏହି ପାଣି କେବଳ ନଷ୍ଟ ହେବା ସାର ହେଉଛି।
ପ୍ରକାଶ ଥାଉକି, ବର୍ତ୍ତମାନ ଶ୍ରୀକ୍ଷେତ୍ରରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଆଗାମୀ କିଛି ବର୍ଷ ମଧ୍ୟରେ ପୁରୀ ଅଞ୍ଚଳରେ ଜଳ ସଙ୍କଟ ଦେଖାଯିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଘରୋଇ ଲୋକଙ୍କୁ ଗୃହ ନିର୍ମାଣ ବେଳେ ବର୍ଷା ଜଳ ପ୍ରଥମେ ସଂରକ୍ଷଣ ଏବଂ ପରେ ରିଚାର୍ଜ ବ୍ୟବସ୍ଥା କରିବାକୁ ସଚେତନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସିଂହଦ୍ବାର ପାର୍ଶ୍ବରେ ଭକ୍ତଙ୍କ ପାଇଁ ଥିବା ପାଦ ଧୋଇବାରେ ନଷ୍ଟ ହେଉଥିବା ହଜାର ହଜାର ଲିଟର ପାଣିକୁ ଭୂତଳକୁ ଛାଡ଼ିବା ପାଇଁ ସଚେତନ ନାଗରିକ ଦାବି କରିଛନ୍ତି। ବୁଦ୍ଧିଜୀବୀଙ୍କ ମତରେ ପ୍ରତିଦିନ ପ୍ରାୟ ୬୦ରୁ ୭୦ ହଜାର ଲିଟର ପାଣି ଶ୍ରୀଜଗନ୍ନାଥ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କ ପାଦ ଧୋଇବା କାର୍ଯ୍ୟରେ ବ୍ୟବହାର ହେଉଛି। ଯାହାର ପରିମାଣ ସପ୍ତାହନ୍ତରେ ପ୍ରାୟ ଦୁଇଗୁଣ ହୋଇଯାଇଥାଏ।
Powered by Froala Editor