ପାଣି ଟାଙ୍କି ଉପରେ ଫସିଥିଲେ ଦୁଇ ଶିଶୁ, ଉଦ୍ଧାର କଲା ବାୟୁସେନା
ଉତ୍ତରପ୍ରଦେଶ: ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି ସମୟରେ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଥାଏ ଭାରତୀୟ ବାୟୁସେନା । ଯାହା ଏବେ ପ୍ରମାଣିତ ହୋଇଛି ।
ସୂଚନାନୁଯାୟୀ, ନିକଟରେ ଗୋରଖପୁରର ସିଦ୍ଧାର୍ଥ ନଗରରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦୁଇଜଣଙ୍କୁ ଖେଳୁ ଖେଳୁ ଏକ ବିଶାଳ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଟାଙ୍କିର ସିଡ଼ିଟି ଭାଙ୍ଗି ଯାଇଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ । ରାତିର ଅନ୍ଧାର ବଢ଼ିବା ସହ ଶିଶୁ ଦୁଇଟିଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ସମସ୍ତ ଚେଷ୍ଟା କରି ବିଫଳ ହେବା ପରେ ଉତ୍ତରପ୍ରଦେଶ ସରକାର ବାୟୁସେନାର ସହାୟତା ଲୋଡ଼ିଥିଲେ । ଖବର ପାଇ ଏମଆଇ-୧୭ ଭି୫ ହେଲିକପ୍ଟରକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ବାୟୁସେନାର ଦକ୍ଷ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଅତ୍ୟନ୍ତ ସାହସିକତାର ସହ ମିଶନଟିକୁ ପରିଚାଳନା କରି ଦୁଇ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
Powered by Froala Editor