ମୁଁ ସପକ୍ଷରେ ବା ବିପକ୍ଷରେ ଭୋଟ ନଦେଇ ଚୁପ ରହିବା ଶ୍ରେୟ ମଣିବି: ସନାତନ ମହାକୁଡ
ଚମ୍ପୁଆ: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପ୍ରଥମ ପ୍ରାର୍ଥୀ ଭାବେ ଡ. ସଂତୃପ୍ତ ମିଶ୍ର ଓ ଦ୍ୱିତୀୟ ପ୍ରାର୍ଥୀ ୟୁରୋଲଜିଷ୍ଟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ରହିଛନ୍ତି। ତେବେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ କିନ୍ତୁ ଏହି ନିର୍ବାଚନରେ ଭୋଟ ନ ଦେଇ ନୀରବ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଅତଏବ ଆଗାମୀ ରାଜ୍ୟସଭା ନିର୍ବାଚନରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସନାତନ କେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ଭି.କେ ପାଣ୍ଡିଆନଙ୍କୁ ବିରୋଧ କରିନାହାଁନ୍ତି। କିଛିଦିନ ତଳେ ଗଣମାଧ୍ୟମରେ ଜିଲାର ବିକାଶ ସଂକ୍ରାନ୍ତରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତଥା କେନ୍ଦୁଝର ମାଟିର ପୁଅ ମୋହନ ମାଝୀ କେନ୍ଦୁଝର ଜିଲାର ବିକାଶକୁ ଗୁରୁତ୍ୱ ଦେଉଥିବାରୁ ମୁଁ ତାଙ୍କ ସହିତ ଅଛି ବୋଲି କହିଥିଲେ।
ତାର ଦୁଇଦିନ ପରେ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନିଲମ୍ୱନ କରିଥିଲା। ସନାତନ ମହାକୁଡଙ୍କ କହିବା ଅନୁସାରେ ତାଙ୍କୁ ଦଳରୁ ବିନା ନୋଟିଫିକେସନ ବା ମତାମତ ନନେଇ ନିଲମ୍ୱନ କରାଯାଇଥିଲା। ସନାତନ ମହାକୁଡ କହିଛନ୍ତି, ଯେହେତୁ ମୋତେ ବିଜେଡି ନିଲମ୍ୱନ କରିଛି, ତେଣୁ ମୁଁ ସପକ୍ଷରେ ବା ବିପକ୍ଷରେ ଭୋଟ ନଦେଇ ଚୁପ ରହିବା ଶ୍ରେୟ ମଣିବି।
Powered by Froala Editor