ଡିଏମ୍କେରେ ଯୋଗଦେଲେ ପନିରସେଲଭମ୍
ଚେନ୍ନଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍ ଡିଏମକେରେ ଯୋଗ ଦେଇଛନ୍ତି। ପନିରସେଲଭମ୍ ଦଳ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଡିଏମକେରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ଦଳରେ ସାମିଲ ହେବା ନେଇ ଅନୁମାନ କରାଯାଉଥିଲା। ପନିରସେଲଭମଙ୍କୁ କେବେ ଦିବଂଗତ ଜେ. ଜୟଲଳିତାଙ୍କ ଉତ୍ତରାଧିକାରୀ କୁହାଯାଉଥିଲା। ସେ ତାଙ୍କ ମିତ୍ର ଓ ସହଯୋଗୀ ହୋଇଥିବା ଯୋଗୁଁ ଅନେକ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି।
ପନିରସେଲଭମ୍ ଡିଏମକେରେ ସାମିଲ ହେବା ପରେ ଡିଏମକେ କର୍ମୀ ଅଭିଷେକ ଖୁସି ବ୍ୟକ୍ତ କରି ସାମାଜିକ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଏବେ ମଜଭୁତ ଅଛୁ, ଆଗକୁ ଆହୁରି ମଜଭୁତ ହେବୁ। ଲୋକମାନେ ଏହା ପ୍ରମାଣ କରୁଛନ୍ତି ଯେ ଆମେ ପୁଣି ମଜଭୁତ ସରକାର ଗଢିବାକୁ ଯାଉଛୁ।’
ପନିରସେଲଭମ୍ ଏଆଇଏଡିଏମକେ ନେତା ଜୟଲଳିତାଙ୍କ ସବୁଠାରୁ ବିଶ୍ବସ୍ତ ତାଲିକାରେ ସାମିଲ ଥିଲେ। ଯେବେ ୨୦୦୧ରେ ଜୟଲଳିତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ସେବେ ଉତ୍ତରାଧିକାରୀ ରୂପେ ପନିରସେଲଭମଙ୍କୁ ସେ ମନୋନୀତ କରିଥିଲେ। ସେ ୨୧ ସେପ୍ଟେମ୍ବର ୨୦୦୧ରୁ ୨ ମାର୍ଚ୍ଚ ୨୦୦୨ ପ୍ରାୟ ୬ ମାସ ଧରି ପ୍ରଥମ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେପ୍ଟେମ୍ବର ୨୦୧୪ରେ ସେ ଦ୍ବିତୀୟ ଥର ୮ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୬ରେ ଜୟଲଳିତାଙ୍କ ନିଧନ ପରେ ସେ ତୃତୀୟ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ। ଦଳରେ କଳହ ଯୋଗୁଁ ପନିରସେଲଭମଙ୍କୁ ୨୦୨୨ରେ ଏଆଇଏଡିଏମକେରୁ ବାହାର କରିଦିଆଯାଇଥିଲା। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ନେତାଙ୍କ ଜରିଆରେ ଏଆଇଏଡିଏମକେକୁ ଫେରିବାକୁ ଚେଷ୍ଟା କରିଥିଲେ। ତେବେ ବିଫଳ ହେବାରୁ ସେ ଡିଏମକେ ସହ ହାତ ମିଶାଇଛନ୍ତି।
Powered by Froala Editor